କଟକ: ବସୁନ୍ଧରାରେ ପାଳିତ ହେଉଥିବା ଭିନ୍ନକ୍ଷମ ଶିଶୁକନ୍ୟା ଲିଲିୟାନାକୁ ମିଳିଲେ ବାପା ମାଆ । ଆମେରିକାର ଏକ ଦମ୍ପତି ଲିଲିୟାନାକୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଆମେରିକା ଓକଲମା ସହରର ଦମ୍ପତି ଡେବିଡ଼ ଓ ଆନା ଆନୁଷ୍ଠାନିକ ଭାବେ ଆଜି ଲିଲିୟାନାକୁ ଗ୍ରହଣ କରିଛନ୍ତି । ପ୍ରାୟ ଦୁଇ ବର୍ଷ ତଳେ ସେ ଲିଲିୟନାକୁ କନ୍ୟା ସନ୍ତାନ ଭାବରେ ଗ୍ରହଣ କରିବାକୁ କଟକ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ । ଆଜି ଝିଅଟିକୁ ପାଇ ସେମାନେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି । ଏପଟେ ଜିଲ୍ଲା ପ୍ରଶାସନ ମଧ୍ୟ ଲିଳିୟାନାଙ୍କ ଉଜ୍ଜଳ ଭବିଷ୍ୟତ ନେଇ ବେଶ ଆଶାବାଦୀ ରହିଛି ।
୨୦୨୨ରେ କିଛି ସ୍ବେଚ୍ଛାସେବୀଙ୍କ ଦ୍ବାରା ଲିଲିୟାନା ନନ୍ଦନକାନନ ନିକଟ ଏକ ଡ଼ଷ୍ଟବିନରୁ ଉଦ୍ଧାର ହୋଇଥିଲେ । ତାଙ୍କ ଶରୀରକୁ କୁକୁର କାମୁଡି କ୍ଷେତାକ୍ତ କରିଦେଇଥିଲେ । ପ୍ରଥମେ କଟକ ଚାଇଲ୍ଡ ଲାଇନ ଖବର ପାଇ ତାଙ୍କୁ ଉଦ୍ଧାର କରି ଶିଶୁ ଭବନରେ ଭର୍ତ୍ତି କରାଇଥିଲା । କୁକୁର କାମୁଡା ଯୋଗୁଁ ତାଙ୍କ ବାମ ଆଖି ଓ ମୁହଁର 60 ପ୍ରତିଶତ ନଷ୍ଟ ହୋଇଯାଇଥିଲା । ଦେଢ଼ ଦୁଇ ମାସ ଚିକିତ୍ସା ପରେ ସେ ସୁସ୍ଥ ହେବାରୁ ତାଙ୍କୁ ବସୁନ୍ଧରାର ସହାୟତାରେ ରଖାଯାଇ ଲାଳନ ପାଳନ କରାଯାଉଥିଲା । ଏଥି ସହିତ କୋଇମ୍ବାଟୁରରେ ତାଙ୍କର ସ୍ୱତନ୍ତ୍ର ସର୍ଜରୀ କରାଯାଇ ମୁହଁକୁ ବହୁକାଂଶରେ ଠିକ କରାଯାଇଥିଲା । ଜୀବନ ଆରମ୍ଭରୁ ବଞ୍ଚିବା ପାଇଁ ସଂଘର୍ଷ କରିଥିବା ଏହି କୁନି ଝିଅ ଆଜି ବାପାମାଆ ପାଇବା ସହିତ ଏକ ଉଜ୍ଜଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହୋଇଛି । ଯାହା ସମସ୍ତଙ୍କ ପାଇଁ ଖୁସି ଆଣିଦେଇଛି । ଏନେଇ ଜିଲ୍ଲପାଳ କହିଛନ୍ତି, " ସୁଦୂର ଆମେରିକାରୁ ଆସି ଜଣେ ଦମ୍ପତି ଲିଲିୟାନାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଲିଲିୟାନାଙ୍କୁ ମଧ୍ୟ ଏକ ପରିବାର ମିିଳିଛି । ସେମାନେ ଆମେରିକାରେ ତାଙ୍କର ରକ୍ଷଣାବେକ୍ଷଣ କରିବା ସହ ଚିକିତ୍ସା କରାଇବେ ବାଲି ଜିଲ୍ଲା ପ୍ରଶାସନକୁ ପ୍ରତିଶୃତି ଦେଇଛନ୍ତି ।
ଚାଇଲ୍ଡ ଆଡପସନ ରେଗୁଲେସନ ଆକ୍ଟ ଅନୁଯାୟୀ, ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଏହି ଆମେରିକୀୟ ଦମ୍ପତ୍ତି ସମ୍ମତି ଦେଇଥିଲେ । ଯାହାକୁ ଗତ ମାସ ୯ ତାରିଖ ଦିନ ଜିଲ୍ଲାପାଳ ମଞୁରୀ ଦେଇଥିଲେ । ଫଳରେ ଆଜି ଲିଲିୟାନା ପାଇଛନ୍ତି ଏକ ନୂଆ ପରିଚୟ । ଅନ୍ୟପଟେ ଆମେରିକୀୟ ଦମ୍ପତି ଏକ ସନ୍ତାନ ପାଇ ସେମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।
ଇଟିଭି ଭାରତ,କଟକ