ବୌଦ୍ଧ: ସୁଧାର ଗୃହରେ ଅସୁରକ୍ଷିତ ମହିଳା ଅନ୍ତେବାସୀ । ମଧ୍ୟରାତ୍ରିରେ ଜଣେ ଅନ୍ତେବାସିନୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଗାଁ ନିକଟରେ ଥିବା ସୁଧାର ଗୃହରେ ।
ସମାଜରେ ନିଷ୍ପେଷିତ, ପୀଡିତ ଓ ନିର୍ଯ୍ୟାତିତ ଅସହାୟ ମହିଳାଙ୍କ ସୁରକ୍ଷା ଓ ଥଇଥାନ ନିମନ୍ତେ ଏହି ସୁଧାର ଗୃହ ଉଦ୍ଦିଷ୍ଟ । ଆଶ୍ରସ୍ବ ଅନୁଷ୍ଠାନ ପକ୍ଷରୁ ପରିଚାଳିତ ଏହି ସୁଧାର ଗୃହରେ ଏବେ27 ଜଣ ଅନ୍ତେବାସିନୀ ରହିଛନ୍ତି । କିନ୍ତୁ ହଠାତ୍ ଏହି ଅଘଟଣ ସମସ୍ତଙ୍କୁ ଆଶ୍ଟର୍ଯ୍ୟଚକିତ କରିଛି ।
ସୂଚନାନୁସାରେ, ଗତ 13 ତାରିଖ ରାତିରେ ଗୃହର ଜଣେ ଅନ୍ତେବାସିନୀ ବାହାରକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଅସଦାଚରଣ ସହ ଆକ୍ରମଣ କରିଥିଲେ । ଏନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା । ପୂର୍ବରୁ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଗଣ୍ଡଗୋଳ ମାମଲାର ବିଚାରଧୀନ ରହିଛି । ତେବେ ଦୁଇ ପରିବାରର ତିକ୍ତତା ଯୋଗୁଁ ଏଭଳି ଘଟଣା ଘଟିଛି ନା ଏହା ପଛରେ ଅନ୍ୟ କୌଣସି ରହସ୍ୟ ରହିଛି ତାହା ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି ।
ପ୍ରକାଶ ଥାଇ କି, ଉକ୍ତ ସୁଧାର ଗୃହରେ ପାଚେରୀ କିମ୍ବା ଫାଟକ ନଥିବାରୁ ଅଧିକାଂଶ ସମୟରେ ଅସାମାଜିକଙ୍କ ଦୌରାତ୍ମ୍ୟ ହେଉଥିବା ଅଭିଯୋଗ ହୋଇଆସୁଛି । ଉକ୍ତ ଘଟଣା ପରେ ବୌଦ୍ଧ ପୋଲିସ ପକ୍ଷରୁ ସେଠାରେ ରାତିରେ ସୁରକ୍ଷା ଯୋଗାଇ ଦିଆଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ