ବୌଦ୍ଧ: ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ସଜବାଜ ବୌଦ୍ଧ ଜିଲ୍ଲା ପ୍ରଶାସନ । ଭୋଟର ତାଲିକା ଗୁଡିକରେ କିଛି ମାତ୍ରାରେ ଭ୍ରମାତ୍ମକ ତଥ୍ୟ ଥିବା ଅଭିଯୋଗ ରହିଛି। ମୃତ, ଶତାୟୁ ଭୋଟର ଓ ନବେ ବର୍ଷରୁ ଉର୍ଦ୍ଧ୍ବ ଭୋଟରଙ୍କ ସଂଖ୍ୟାକୁ ପୁନର୍ବାର ସଂଶୋଧିତ ସହ ନୂତନ ଭୋଟରଙ୍କୁ ସଂଯୋଗ ଓ ସ୍ଥାନାନ୍ତରିତ ଭୋଟଙ୍କୁ ବାଦ କରାଯାଇ ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଯିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ ।
ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ବୌଦ୍ଧ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୨୩୪୪୪ ଭୋଟର ରହିଛନ୍ତି । ତନ୍ମଧ୍ୟରୁ ନବେ ବର୍ଷରୁ ଉର୍ଦ୍ଧ୍ବ ଭୋଟରଙ୍କ ସଂଖ୍ୟା ୭୮୪ ଓ ଶତାୟୁ ଭୋଟରଙ୍କ ସଂଖ୍ୟା ୬୫ ଥିବାରୁ ଭୋଟର ତାଲିକାରେ ଭ୍ରମାତ୍ମକ ତଥ୍ୟ ଥିବା ବୁଦ୍ଧିଜୀବୀ ଅନୁମାନ କରୁଛନ୍ତି ।
ପ୍ରତ୍ୟେକ ଥର ଭଳି ଆସନ୍ତା ସେପ୍ଟେମ୍ବର ଏକ ତାରିଖରୁ ବୁଥ ସ୍ତରରେ ଅଫିସର ଜିଲ୍ଲାର ପ୍ରତ୍ୟେକ ଘରକୁ ଯାଇ ମୃତ ଓ ଅନ୍ୟ କାରଣ ଖୋଜି ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ କଡାକଡି ଭାବେ ଦୃଷ୍ଟି ଦେବ ଵୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏତଦ୍ବ୍ୟତୀତ ଆଗାମୀ ଡିସେମ୍ବର ଏକ ୨୦୨୦ ସୁଦ୍ଧା ଯେଉଁ ନୂତନ ପୀଢିଙ୍କୁ ଅଠର ବର୍ଷ ହେବ ତାକୁ ଦୃଷ୍ଟିରେ ରଖାଯିବା କଥା କହିଛନ୍ତି ଉପଜିଲ୍ଲାପାଳ । ଏହାସହ ମୃତକ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଗୁରୁବାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଉପଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାଏକ ଏ ସମ୍ପର୍କରେ ବୁଝାଇଥିଲେ ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ