ବୌଦ୍ଧ: ଜିଲ୍ଲା ଗଠନକୁ 27 ବର୍ଷ ବିତିଯାଇଛି । ହେଲେ ଆଜି ବି ମୌଳିକ ସେବାରୁ ବଞ୍ଚିତ ବୌଦ୍ଧର ବିଭିନ୍ନ ଅଞ୍ଚଳ । ସ୍ବାସ୍ଥ୍ୟସେବା ଠାରୁ ନେଇ ଗମନାଗମନ ଯାଏଁ ବ୍ୟାପକ ସମସ୍ୟା ମଧ୍ୟରେ ଜୀବନ କାଟୁଛନ୍ତି ଲୋକେ । ବୌଦ୍ଧ ଜିଲ୍ଲାରେ ଦୁଇଟି ନିର୍ବାଚନ ମଣ୍ଡଳୀ ରହିଥିବାବେଳେ ବିଶେଷକରି ଜିଲ୍ଲାର ହରଭଙ୍ଗା ବ୍ଲକ ଓ ଏନଏସିରେ ବ୍ୟାପକ ସମସ୍ୟା ଲାଗିରହୁଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଛି, ତଥାପି ସରୁନି ସମସ୍ୟା । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ବଣ ପାହାଡ ଘେରା ତଥା ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକରେ ସ୍ବାସ୍ଥ୍ୟ ସେବା ଠାରୁ ନେଇ ଗମନାଗମନ ପର୍ଯ୍ୟନ୍ତ ସବୁକିଛି ଅସଜଡା ହୋଇ ରହିଛି । ହରଭଙ୍ଗା ବ୍ଲକର ଆଢେଣୀଗଡ, ତଳଗାଁ, କୁଶଙ୍ଗ, ମହାଳିକପଡା, କରଞ୍ଜକଟା ଭଳି ଅନେକ ପଞ୍ଚାୟତରେ ଗମନାଗମନର ଅସୁବିଧା ଯୋଗୁଁ ସରକାରଙ୍କ କଲ୍ୟାଣକାରୀ ଯୋଜନା ଆଜି ମଧ୍ୟ ଅପହଞ୍ଚ ହୋଇରହିଛି । ମହାନଦୀ କୂଳରେ ଥାଇ ବି ଅନେକ ଗାଁରେ ପାନୀୟଜଳ ଅଭାବରୁ ଲୋକେ ଅପରିଷ୍କାର ପାଣି ପିଇ କିଡନୀ ଜନିତ ସମସ୍ୟା ଭୋଗୁଛନ୍ତି ।
ସେପଟେ ଜିଲ୍ଲାର ଏକମାତ୍ର ଏନଏସିକୁ ମୁନିସିପାଲଟିରେ ପରିଣତ କରିବା ଲାଗି ଏବଂ ଆରଡିସି ସ୍ଥାନାନ୍ତର ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି । ହେଲେ କୌଣସି ସୁଫଳ ନ ମିଳିବାରୁ ବୌଦ୍ଧ ନାଗରିକ କମିଟି ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ତେଣୁ ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ସରକାର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ