ଭଦ୍ରକ: ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ଏବଂ ଅସହଯୋଗ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବା ଦାବିରେ ବାସୁଦେବପୁର ବ୍ଲକ ପରିସରରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ।
ସୂଚନାମୁତାବକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିୟମିତ ପଞ୍ଚାୟତ ଅଫିସକୁ ଆସନ୍ତି ନାହିଁ ଓ କାର୍ଯ୍ୟାଳୟରେ ସବୁବେଳେ ତାଲା ପଡୁଥିବାରୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏଥିସହ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟମାନଙ୍କ ସହିତ ସହଯୋଗ କରୁନଥିବା ନେଇ ବହୁବାର ବିଡିଓଙ୍କ ପାଖରେ ଅଭିଯୋଗ ହୋଇଛି । କିନ୍ତୁ ବିଡିଓ କୌଣସି ପଦକ୍ଷେପ ନେଉ ନଥିବାରୁ ବାଧ୍ୟ ହେଇ ଆମରଣ ଅନଶନ କରିଥିବା ସୂଚନା ମିଳିଛି ।
ଅନ୍ୟପଟରେ ଖୁବ ଶୀଘ୍ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବଦଳି କରାଯିବ ବୋଲି କହିଛନ୍ତି ବିଡଓ । ଏନେଇ ବ୍ଲକ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ପହଞ୍ଚି ସ୍ଥିତକୁ ନିୟନ୍ତ୍ରଣ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଆସନ୍ତା 16 ତାରିଖ ସୁଦ୍ଧା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି କରାଯିବାର ଲିଖିତ ପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହୃତ ହେଇଥିଲା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ