ବରଗଡ: ସହର ସ୍ଥିତ ସୁବାଷ ନଗର ଠାରେ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ବରଗଡର ଜଣେ ସମାଜସେବୀ ଦୀନବନ୍ଧୁ ସାହୁ(ଦିପୁନା) ବୋଲି ଜଣାପଡିଛି ସମାଜସେବୀଙ୍କ ମୃତ୍ୟୁ ଘଟି ଥିବାବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ମୃତ ଦୀନବନ୍ଧୁ ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ସହ ନିୟମିତ ରକ୍ତଦାତା ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ସୁବାଷ ନଗର ହନୁମାନ ମନ୍ଦିର ସମ୍ମୁଖରେ ଦୀନବନ୍ଧୁ ସାହୁ ଏବଂ ତାଙ୍କ ସ୍ତ୍ରୀ ସ୍କୁଟି ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଅପର ପଟୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଖୁବ୍ ଜୋରରେ ଧକ୍କା ଦେଇଥିଲା । ଫଳରେ ଉକ୍ତ ବାଇକ ଆରୋହୀ ସହିତ ଦୀନବନ୍ଧୁ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇପଡିଥିଲେ । ଉଭୟଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା ।
ମାତ୍ର ଉଭୟଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲାକୁ ପଠାଯାଇଥିଲା । ସେଠାରେ ଦୀନବନ୍ଧୁଙ୍କର ମୃତ୍ୟୁ ହୋଇଯାଇ ଥିବାବେଳେ ତାଙ୍କର ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ ଦୀନବନ୍ଧୁଙ୍କର ଏକ 11 ବର୍ଷର ପୁଅ ପୁଅ ମଧ୍ୟ ଅଛି । ବରଗଡ ମାଟି ଦୀନବନ୍ଧୁଙ୍କ ପରି ଜଣେ ସମାଜସେବୀଙ୍କୁ ହରାଇଛି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ