ବରଗଡ: ସାରା ଦେଶରେ କୋରୋନା ମହାମାରୀକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ କୋରୋନା ସହିତ ମଣିଷର ଲଢେଇ ଜାରି ରହିଛି । ତେବେ କୋରୋନା ସହିତ ସମସ୍ତ ମଣିଷ ଜାତି ଏବେ ଯୁଦ୍ଧ କରୁଥିବା ବେଳେ ଯିଏ ଘରେ ରହି ଲକଡାଉନକୁ ସମର୍ଥନ କରୁଛି ସିଏ ମଧ୍ୟ ଏକ କୋରୋନା ଯୋଦ୍ଧା ବୋଲି କୁହାଯାଉଛି ।
ମାତ୍ର ଏହି ଯୁଦ୍ଧରେ ଆଗଧାଡିରେ ଲଢେଇ କରୁଥିବା ଡାକ୍ତର, ନର୍ସ, ପୋଲିସ କର୍ମଚାରୀ, ସଫେଇ କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମଚାରୀ, ସମାଜସେବୀ ଏପରି ବହୁ ଲୋକ ନିଜ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି । ଏପରି ପରିପ୍ରେକ୍ଷୀେରେ ବରଗଡର ସମ୍ବିଧାନ ସୁରକ୍ଷା ମଞ୍ଚ ସମସ୍ତ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରି ଉତ୍ସାହିତ କରୁଛନ୍ତି ।
ଶୁକ୍ରବାର ଏହି ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ବରଗଡ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କୁ କୋରୋନା ଯୋଦ୍ଧା ଆଖ୍ୟା ଦେଇ ସମ୍ମାନିତ କରିଛନ୍ତି । ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ବରଗଡ଼ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମେ ବରଗଡ଼ର ଦିବଙ୍ଗତ ସାମ୍ବାଦିକ ମାନଙ୍କ ସ୍ମୃତିରେ ଏକ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ପରେ ବରଗଡ଼ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଫୁଲ ମାଳରେ ସ୍ଵାଗତ କରିବା ସହିତ ପେନ ,ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଥିଲା ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ