ବାଲେଶ୍ୱର : ସ୍ବାମୀ ସ୍ତ୍ରୀଙ୍କ କଳି ଦାଣ୍ତରେ ପଡି ହାଟରେ ଗଡିଲା । ସର୍ବସାଧାରଣରେ କାନ୍ଦିଲେ ଦ୍ବିତୀୟ ସ୍ତ୍ରୀ । କହିଲେ ମୋତେ ଓ ମୋ ପୁଅକୁ ନ୍ୟାୟ ଦିଅ । ଏଭଳି ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା ବାଲେଶ୍ବର ଜିଲ୍ଲା ସୋର ଥାନା ସରସଙ୍ଖ ବଜାରରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଭାସ୍କର ପୂର୍ବରୁ ଜଣକୁ ବିବାହ କରିଥିବା ବେଳେ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ସରସଙ୍ଖ ଅଞ୍ଚଳ ସରୋଜିନୀଙ୍କୁ ବିବାହ କରିଥିଲେ। ବିବାହ ପରେ ପୁଅଟିଏ ହୋଇଥିଲା କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଭାସ୍କର ଅନ୍ୟ ଜଣେ ମହିଳାଙ୍କୁ ତୃତୀୟ ବିବାହ କରିଥିଲେ। ସରୋଜିନୀ ଏହାକୁ ବିରୋଧ କରିବାରୁ ଭାସ୍କରଙ୍କ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ । ପୁଣି ଭାସ୍କର ଦ୍ୱିତୀୟ ସ୍ତ୍ରୀକୁ ଦେଖା କରିବାକୁ ସରସଙ୍ଖ ବଜାରକୁ ଡାକିଥିଲେ।
ବଜାରରେ ଦେଖାସାକ୍ଷାତ ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇ ମାଡ଼ପିଟର ରୂପ ନେଇଥିଲା । ଭାସ୍କର ସେଠାରୁ ପଳାଇ ଯାଉଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକାଇ ଥିଲେ । ମହିଳା ଜଣକ ନ୍ୟାୟ ପାଇଁ ନିବେଦନ କରିଥିବା ବେଳେ ଘଟଣା ସ୍ଥଳରେ ସୋର ପୋଲିସ ପହଞ୍ଚି ଭାସ୍କରଙ୍କୁ ସୋର ଥାନା କୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ