ବାଲେଶ୍ବର: ଅସହାୟ ମହିଳାଙ୍କ ଅନ୍ତିମ ସତ୍କାର କଲେ ଗାଁ ଲୋକେ । ସମାଜକୁ ଦେଲେ ମଣିଷ ପଣିଆର ବାର୍ତ୍ତା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାର ଖଇରା ବ୍ଲକ ଜଳଦା ଗାଁରେ । ସୂଚନା ଅନୁସାରେ, ବାଲେଶ୍ୱର ଜଳଦା ଗାଁର ମୃତ କୈଳାଶ ଜେନାଙ୍କ ପତ୍ନୀ ପାର୍ବତୀ ଜେନା । ଘରେ ଥିବା ବେଳେ ହଠାତ ମୁଣ୍ଡ ବୁଲାଇବାରୁ ତଳେ ପଡିଯାଇଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପାର୍ବତୀଙ୍କର ଦୁଇଟି ପୁଅ ଅଛନ୍ତି। ହେଲେ ବଡ଼ ପୁଅ ଦୟାନିଧି ମାନସିକ ରୋଗରେ ପିଡିତ ହୋଇଥିବା ବେଳେ ସାନ ପୁଅ ଗଣେଷ ଦିବ୍ୟାଙ୍ଗ। ସେଥିପାଇଁ ନିଜ ମାର ଅନ୍ତିମ ସତ୍କାର ପାଇଁ ଅକ୍ଷମ ହୋଇଥିବାରୁ ଗ୍ରାମବାସୀ ହିନ୍ଦୁ ରୀତିନୀତି ଅନୁଯାୟୀ ପାର୍ବତୀଙ୍କ ଅନ୍ତିମ ସତ୍କାର କରିଛନ୍ତି । ଏହାସହ ଶୁଦ୍ଧିକ୍ରିୟା ପାଇଁ ସରକାରୀ ସହାୟତା ମଧ୍ୟ ଲୋଡିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ