ବଲାଙ୍ଗୀର: ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥରେ ଆଉ ଏକ ପାଦ ଆଗକୁ ଗଡିଛି ଟ୍ରେନ । ନିରାପତ୍ତା ଆୟୁକ୍ତଙ୍କ ନିରୀକ୍ଷଣରେ ଝାରତରଭାଠୁ ନୂଆ ଖମ୍ବେଶ୍ୱରୀ ପାଲି ଷ୍ଟେସନକୁ ଗଡ଼ିଛି ଟ୍ରେନ । ଏହି ଟ୍ରାକରେ ଟ୍ରେନ ରନ ପରୀକ୍ଷଣ ହୋଇଛି । ପୂର୍ବରୁ ବଲାଙ୍ଗୀରରୁ ସୁବର୍ଣ୍ଣପୁର ଜିଲ୍ଲାକୁ ଏହି ଲାଇନ୍ ଛୁଇଁଥିବା ବେଳେ ଏବେ ଏଥିରେ ଟ୍ରେନ୍ ଗଡ଼ିବାକୁ ନେଇ କାମ ଶୀଘ୍ର ସରିବ ଓ ଡିସେମ୍ବର ସୁଦ୍ଧା ଟ୍ରେନ୍ ଗଡ଼ିବ ବୋଲି ଜଣାପଡିଛି ।
ଦକ୍ଷିଣ ପୂର୍ବ ରେଳପଥ ସର୍କଲର ନିରାପତ୍ତା ଆୟୁକ୍ତ ଏମ ଚୌଧୁରୀଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଏହି ଟ୍ରାଏଲ୍ ରନ ହୋଇଛି । ଯେଉଁଥିରେ ଦକ୍ଷିଣ ପୂର୍ବ ରେଳ ସର୍କଲର ନିରପତ୍ତା ଆୟୁକ୍ତ ଏମ ଚୌଧୁରୀ, ପୂର୍ବତଟ ରେଳ ଜୋନର ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମାଣ ପି.ଶ୍ରୀନିବାସ, ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ବିନୀତ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ । ବଲାଙ୍ଗୀର ସୋନପୁର ସୀମା ଝାରତରଭା ରେଳ ଷ୍ଟେସନରୁ ସୋନପୁର ଜିଲ୍ଲା ଖମ୍ବେଶ୍ୱରୀ ପାଲି ନୂଆ ରେଳ ଷ୍ଟେସନ ପର୍ଯ୍ୟନ୍ତ ସବୁ ନିରୀକ୍ଷଣ କାମ ଏମାନେ କରିଥିଲେ । ଯେଉଁଥିରେ ରେଳ ଲାଇନ୍ ଯାଞ୍ଚ, ଓଭର୍ ହେଡ ଉପକରଣ, ପୋଲ, ସଂକେତ ଓ ଦୂରସଂଚାର ଉପକରଣର ଟିକ ନିଖି ଯାଞ୍ଚ କରିଥିଲେ । ସେହିପରି ଏହି ଲାଇନରେ ଏମାନେ ଏକ ଟ୍ରେନର ସ୍ପିଡ୍ ରନ ମଧ୍ୟ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ଏହି ଲାଇନ୍ କଡ଼ରେ ଆସୁଥିବା ଗାଁ ଓ ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ରେଳ ଲାଇନ୍ଠୁ ଦୂରରେ ରହିବାକୁ ପୂର୍ବରୁ ସତର୍କ କରାଇଥିଲେ ।
ସୂଚନା ଅନୁସାରେ ଏହି ଟ୍ରାଏଲ ରନ ସଫଳ ହୋଇଥିବାର ଜଣା ପଡ଼ିଥିବା ବେଳେ ଏମାନେ ଉପରୋକ୍ତ ବିଭାଗକୁ ଏହାର ରିପୋର୍ଟ ପ୍ରଦାନ କରିବେ। ତେବେ ବଲାଙ୍ଗୀର ଖୋର୍ଦ୍ଧା ରେଳ ପଥ 1994-95 ମସିହାରେ ପ୍ରସ୍ତାବ ନିଆ ଯାଇଥିଲା । 1994 ମସିହାରେ ଏହାର ଶିଳାନ୍ୟାସ ହୋଇଥିଲା । ସେ ସମୟରେ ଏକ ହଜାର କୋଟି ଟଙ୍କା ବ୍ୟୟରେ 306 କିମି ବିଶିଷ୍ଟ ଏହି ଲାଇନର ନିର୍ମାଣ ହେବାର ଥିଲା। ହେଲେ ଅହେତୁକ ବିଳମ୍ବ ଯୋଗୁଁ ଏହାର କାମ ଅତି ମନ୍ଥର ଗତିରେ ଚାଲିଥିଲା । ସେହିପରି 2019 ରେ ପ୍ରଥମ କରି ବଲାଙ୍ଗୀର ପଟୁ 18 କିମି ବିଚ୍ଚୂପାଲି ପର୍ଯ୍ୟନ୍ତ ରେଳ ଚଲାଚଳକୁ ପ୍ରଧାନମନ୍ତ୍ରୀ ମୋଦି ସବୁଜ ପତାକା ଦେଖାଇଥିଲେ ।
ଏହା ବି ପଢନ୍ତୁ...ସହଜ ହେବ ଜଗା ଦର୍ଶନ, ସୋମବାରଠୁ ପୁରୀକୁ ଗଡିବ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ
2023ରେ ବଲାଙ୍ଗୀର ପଟୁ ବିଚ୍ଚୁପାଲି ଦେଇ 26 କିମି ଦୂର ସୋନପୁର ଜିଲ୍ଲାର ଝାରତରଭାକୁ ରେଳ ଚଳାଚଳ ପାଇଁ ସବୁଜ ପତାକା ଦେଖାଇଥିଲେ । ବର୍ତ୍ତମାନ ବଲାଙ୍ଗୀର ପଟୁ ବିଛୁପାଲି ଓ ଏହି ଝାରତରଭା ଦେଇ ନୂତନ ରେଳ ଷ୍ଟେସନ ଖମ୍ବେଶ୍ୱରୀ ପାଲିକୁ ଟ୍ରେନ୍ର ସଫଳ ଟ୍ରାଏଲ ରନ ହୋଇଛି । ଯାହା ବଲାଙ୍ଗୀର ପଟୁ 35 କିମି ଦୂର ହେବ । ସୋନପୁରଠାରୁ ଦଶପଲ୍ଲା ମଧ୍ୟରେ ଥିବା ଜଙ୍ଗଲ ଜମିରେ ରେଳ ଟ୍ରାକ୍ ପାଇଁ ଅନୁମତି ମିଳିବାକୁ 27 ବର୍ଷ ଲାଗି ଥିଲା । ଏବେ ଏହି ମଞ୍ଜୁରୀ ମିଳି ସାରିଥିବା ବେଳେ ଏହି ରେଳ ଲାଇନ ଡିସେମ୍ବର ସୁଦ୍ଧା ସରିବ ବୋଲି ରେଳ ବିଭାଗ ସୂଚନା ଦେଇଛି ।
ଇଟିଭି ଭାରତ, ବଲାଙ୍ଗୀର