ବଲାଙ୍ଗୀର: ଅସଲି ବ୍ରାଣ୍ଡରେ ବିକ୍ରି ହେଉଛି ନକଲି ଖାଉଟି ସାମଗ୍ରୀ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିରୁ ପ୍ରକାଶ ପାଇଛି ଏହି ସାଙ୍ଘାତିକ ଅଭିଯୋଗ । ଏନେଇ ବଲାଙ୍ଗୀର ଏସପି କୁଶଳକର ନୀତିନ ଦାଗୁଡୁଙ୍କ ନେତୃତ୍ବରେ ପୋଲିସ ପକ୍ଷରୁ ସହରର ବିଭିନ୍ନ ଫ୍ୟାକ୍ଟ୍ରି ଓ ଦୋକାନ ଉପରେ ଚଢାଉ କରାଯାଇଛି । ଚଢାଉ ବେଳେ ଘଟଣାସ୍ଥଳରୁ ପୋଲିସ ବିପୁଳ ପରିମାଣ ନକଲି ତଥା ବିନା ଲାଇସେନ୍ସ ପ୍ରାପ୍ତ ଖାଉଟି ସାମଗ୍ରୀ ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।
ବଲାଙ୍ଗୀରର ବ୍ୟବସାୟିକ ହବ୍ କୁହାଯାଉଥିବା କଣ୍ଟାବାଞ୍ଝିରେ ଚାଲିଥିଲା ଏହି ନକଲି ବ୍ୟବସାୟ । କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶକ୍ରମେ କଣ୍ଟାବାଞ୍ଝି ସହରର ସ୍ଥାନୀୟ ପୋଲିସ, ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଓ ଓଜନ ମାପଦଣ୍ଡ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ପ୍ରଥମେ ବିକାଶ ଜୈନ ନାମରେ ଥିବା ଏକ ମିକ୍ଚଚ ଫ୍ୟାକ୍ଟ୍ରିକୁ ଚଢାଉ କରିଥିଲା ପୋଲିସ । ସେହି ଫ୍ୟାକ୍ଟ୍ରିର କୌଣସି ଲାଇସେନ୍ସ ନଥିବାବେଳେ ଅସ୍ବାସ୍ଥ୍ୟକର ପରିବେଶରେ ମିକ୍ଚର ତିଆରି ହେଉଥିବା ଜଣାପଡିଥିଲା । ସେହିପରି ନିମ୍ନମାନର ଖାଉଟି ତେଲ ବ୍ୟବସାୟ କରୁଥିବା ଚଟୁଅନକା ଲକ୍ଷ୍ମୀଷ୍ଟୋରରେ ଚଢାଉ ହୋଇଥିଲା । ଏଠାରେ ନିମ୍ନମାନର ଖାଉଟି ତେଲ ଆମଦାନୀ କରାଯାଇ ବିଭିନ୍ନ କମ୍ପାନୀର ଲେବଲ ଲଗାଇ ବଜାରରେ ବିକ୍ରି କରାଯାଉଥିଲା । ଏପରିକି ଗୋଟିଏ ଲାଇସେନ୍ସରେ 4 ରୁ 5ଟି ଲେବଲ ଲଗାଯାଇ ବିକ୍ରି ହେଉଥିଲା ତେଲ ।
ବର୍ତ୍ତମାନ ସୁଦ୍ଧା କଣ୍ଟାବାଞ୍ଝି ସହରରେ 6 ଗୋଟି ନକଲି କମ୍ପାନୀ ଉପରେ ଚଢାଉ ହୋଇଛି । ସମସ୍ତଙ୍କ ନାମରେ ମାମଲା ଦାୟର କରାଯିବା ସହ ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି କହିଛନ୍ତି ବଲାଙ୍ଗୀର ଏସପି । ସମସ୍ତ ବ୍ୟବସାୟୀମାନେ ବେଆଇନ ଭାବେ ବିନା କାଗଜପତ୍ର, ବିନା ଲାଇସେନ୍ସରେ ସାମଗ୍ରୀ ତିଆରି କରି ରପ୍ତାନୀ କରୁଥିବା ନେଇ ଏସପି ସୂଚନା ଦେଇଛନ୍ତି ।
ବାଲଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ