ବଲାଙ୍ଗୀର : ବସ୍ତି ଉଚ୍ଛେଦକୁ ନେଇ ପୌରପରିଷଦ କାଉନସିଲ ଓ ଜିଲ୍ଲା ପ୍ରଶାସନ ମୁହାଁମୁହିଁ । ବିନା ଥଇଥାନରେ ଉଚ୍ଛେଦକୁ ବିରୋଧ କଲା ପୌର ପରିଷଦ । ଏଭଳି ପରିସ୍ଥିତି ଆଜି ବଲାଙ୍ଗୀର ଫଳସା ପତ୍ରିପଡ଼ାରେ ଦେଖିବାକୁ ମିଳିଥିଲା ।
ଦୁଇ ଦିନ ପୂର୍ବରୁ ବଲାଙ୍ଗୀର ବିକାଶ ନାଁରେ ଏଠାରେ ସରକାରୀ ଜମିରେ ରହୁଥିବା 35ରୁ ଊର୍ଦ୍ଧ୍ବ ପରିବାରକୁ ଉଚ୍ଛେଦ ନୋଟିସ ଦିଆଯାଇଥିଲା । ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ଏହି ଉଚ୍ଛେଦ ନୋଟିସ୍ ପଠାଯାଇଥିଲା । ସୋମାବାର ଉଚ୍ଛେଦ କରିବାକୁ ପ୍ରଶାସନିକ ଅଧିକାରୀଙ୍କ ସହିତ ଉପଜିଲ୍ଲାପାଳ, ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଦଳବଳେ ପହଞ୍ଚିଥିଲେ ।
ଏ ସମ୍ପର୍କରେ ପୌରପରିଷଦ କାଉନସିଲରମାନେ ଜାଣିବା ପରେ ସମସ୍ତ 21 ଜଣ କାଉନସିଲର ଓ ନିଜେ ପୌରାଧ୍ୟକ୍ଷା ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିଥିଲେ । ଏହାସହ ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ ପାଇଁ କହିଥିଲେ । ବିକାଶକୁ ବିରୋଧ କରୁନାହାଁନ୍ତି ହେଲେ କୌଣସି ବସ୍ତି ବାସିନ୍ଦା କିମ୍ବା ଗରିବଙ୍କୁ ବିନା ଥଇଥାନରେ ଉଚ୍ଛେଦ କରିବାକୁ ଦେବେ ନାହିଁ ବୋଲି କହିଥିଲେ କାଉନସିଲର ।
ଏପରି ସରକାରଙ୍କ ନିର୍ଦ୍ଦେଶ ଥିବା କଥା ସେମାନେ କହିଥିଲେ । ତେବେ ବଲାଙ୍ଗୀର ରୁଗୁଡିପଡା ନିକଟରେ ଥିବା ଏହି ଫଳସା ପତ୍ରିପଡାରେ ଦୀର୍ଘ 60 ବର୍ଷ ହେବ ଲୋକ ଘର କରି ରହି ଆସୁଛସନ୍ତି । ତାଙ୍କୁ ସବୁ ପ୍ରକାରର ସୁବିଧା ମଧ୍ୟ ଏଠି ଯୋଗାଇ ଦିଆଯାଇଛି । ହେଲେ ଗତବର୍ଷ ବିକାଶ ନାଁରେ ଏଠି ପ୍ରଶାସନ ଉଚ୍ଛେଦ କରିଥିଲା ।
ଗରିବ ଲୋକଙ୍କୁ ଥଇଥାନ କରିବା କଥା କହିଥିଲା ପ୍ରଶାସନ । ଇତିମଧ୍ୟରେ ଏହାକୁ ବର୍ଷେ ବିତିଗଲାଣିି । ଏହାସତ୍ତ୍ୱେ କାହାରିକୁ ଥଇଥାନ କରିନାହିଁ ପ୍ରଶାସନ । ତେଣୁ ଏହାକୁ ସମସ୍ତେ ବିରୋଧ କରିଥିବା ବେଳେ ପୌରପରିଷଦ କାଉନସିଲରଙ୍କ ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର