ବଲାଙ୍ଗୀର: ପାର୍ବଣ ଋତୁ ଆରମ୍ଭରୁ ବଲାଙ୍ଗୀରରେ ସକ୍ରିୟ ହେଲେଣି ମଦ ମାଫିଆ । ପୋଲିସ ଓ ଅବକାରୀ ବିଭାଗର ଘନ ଘନ ଚଢାଉ ସତ୍ତ୍ବେ ଥମୁନାହିଁ ମଦ ମାଫିଆଙ୍କ ଗତିବିଧି । ଆଗକୁ ଏଠିକାର କୃଷିଭିତ୍ତିକ ପର୍ବ ନୂଆଖାଇ ପାଳନ ହେବାକୁ ଥିବାବେଳେ ଏହି ସମୟରେ ବଡ଼ ମୁନାଫା କମାଇବା ଉଦ୍ଦେଶ୍ୟରେ ଅଛନ୍ତି ମାଫିଆମାନେ । ସେପଟେ ଏହାକୁ ରୋକିବା ପାଇଁ ପୋଲିସ୍ ଓ ବଲାଙ୍ଗୀର ଅବକାରୀ ବିଭାଗ ସବୁଠି ଘନ ଘନ ଚଢ଼ାଉ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦେଓଗାଁ ଅଞ୍ଚଳରେ ବଲାଙ୍ଗୀର ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅବକାରୀ ବିଭାଗର ଚଢାଉ ସତ୍ତ୍ବେ ବି ନିଜ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହାନ୍ତି ମାଫିଆ । ଏମାନେ ଜିଲ୍ଲାର ଗ୍ରାମାଞ୍ଚଳ ତଥା ଜଙ୍ଗଲ ମଧ୍ୟରେ ବେଆଇନ ଭାବରେ ଦେଶୀ ରନ୍ଧା ମଦ ତିଆରି କରୁଛନ୍ତି । ସେପଟେ ଅବକାରୀ ବିଭାଗ ଲୋକଙ୍କୁ ଏଥିପାଇଁ ସଚେତନ କରିବା ସହ ତାଗିଦ୍ କରୁଛି । ଏଥିସହ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଚେତାବନୀ ଦିଆଯାଉଥିବା କହିଛି ବିଭାଗ ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ