ଅନୁଗୋଳ: ବରପୁତ୍ରଙ୍କୁ ଅସମ୍ମାନିତ କରି ବିଗତ ଦିନରେ ଅନେକ ନିନ୍ଦା ସାଉଁଟିଥିଲା ଅନୁଗୋଳ ପୌରପାଳିକା । ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ପୁଣି ସମାନ ଘଟଣା ଘଟିଛି ପୌରପାଳିକା ଅଫିସ ସମ୍ମୁଖରେ । ଅଫିସ ସାମ୍ନାରେ ଥିବା ଅନୁଗୋଳର ଗର୍ବ ତଥା ଜିଲ୍ଲାର ଶେଷ ସ୍ଵାଧୀନ ରାଜା ସୋମନାଥ ସିଂ ଜଗଦେବଙ୍କୁ ଅସମ୍ମାନ କରାଯାଇଛି । ମହାରାଜା ଧରିଥିବା ଖଣ୍ଡା ପାଖାପାଖି ୧୫ ଦିନ ହେବ ଉଭାନ ରହିଛି । ଯାହାକୁ ଲଗାଇବା ପାଇଁ ପଦକ୍ଷେପ ନିଆଯାଉ ନାହିଁ ।
ଅନୁଗୋଳ ପୌରପାଳିକା ବରପୁତ୍ରମାନଙ୍କୁ ଅସମ୍ମାନ କରିବା ଯେଭଳି ଏକ ନିତି ଦିନିଆ ଘଟଣା ହୋଇଯାଇଛି । ପ୍ରଥମେ ନବକୃଷ୍ଣ ଚୌଧୁରୀ ପରେ ପ୍ରବାଦ ପୁରୁଷ ବିଜୁ ବାବୁ, ଆମ୍ବେଦକର ଏବଂ ଏବେ ଜିଲ୍ଲାର ଗୌରବ ମହାରାଜ ସୋମନାଥ ସିଂହ ଜଗଦେବ । ଇତିହାସରେ ମହାରାଜାଙ୍କ ମାଟି ପାଇଁ ବୀରତ୍ବର କାହାଣୀ ଲିପିବଦ୍ଧ ଅଛି । ବୀର ଶହୀଦଙ୍କ ଏକ ସ୍ମୃତି ସ୍ମାରକୀ ସହର ପୌର କାର୍ଯ୍ୟାଳୟ ସମ୍ମୁଖରେ ରହିଛି । ମହାରାଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପରେ ଏହା ରାଜାଛକ ନାମରେ ନାମିତ ।
ମହାରାଜାଙ୍କ ବୀରତ୍ବର ପ୍ରତୀକ ହେଉଛି ତାଙ୍କ ହାତରେ ଥିବା ଖଣ୍ଡା । ମାତ୍ର ତାଙ୍କ ଖଣ୍ଡା କିଛି ଦିନ ହେବ ଆଉ ଦେଖିବାକୁ ମିଳୁନି । ମାସାଧି କାଳ ହେବ ମହାରାଜ ଭଙ୍ଗା ଖଣ୍ଡା ଧରିଥିବା ବେଳେ ଗତ ୨୦ ତାରିଖରୁ ଖଣ୍ଡା ଗାଏବ ହୋଇଯାଇଛି । ପୌର କର୍ତ୍ତୃପକ୍ଷ ନିତି ଏହାକୁ ଦେଖୁଥିଲେ ହେଁ ଭ୍ରୂକ୍ଷେପ କରୁ ନାହାନ୍ତି । ଦୁଇ ମାସ ତଳେ ଅନୁଗୋଳ ପୌରପାଳିକା ସହରରେ ମହାପୁରୁଷମାନଙ୍କ ବିକୃତ ପ୍ରତିମୂର୍ତ୍ତି ନିର୍ମାଣ କରି ବଦନାମ ମୁଣ୍ଡାଇଥିଲା । ଯାହାକୁ ନେଇ କେବଳ ଜିଲ୍ଲା ନୁହଁ ବରଂ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସାରା ରାଜ୍ୟରେ ଭାଣ୍ଡିଆ ହୋଇଥିଲେ ହେଁ ଏଯାବତ୍ ଚେତା ପଶୁନି ।
କିଛି ଦିନ ତଳେ ପୌରପାଳିକା ପକ୍ଷରୁ ମହାରାଜା ସୋମନାଥ ସିଂହ ଜଗଦେବଙ୍କ ପ୍ରତିମୂର୍ତ୍ତି ସ୍ଥଳର ସୌନ୍ଦର୍ଯ୍ୟକରଣ କରାଯାଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ୱାଟର୍ ଫାଉଣ୍ଟେନଠାରୁ ନେଇ ଷ୍ଟିଲ୍ ବାଡ଼ ଯାଏଁ ଖଞ୍ଜି ପାଣି ଭଳି ଟଙ୍କା ଖର୍ଚ୍ଚ କଲେ । ହେଲେ ବିଡ଼ମ୍ବନାର ବିଷୟ, ମାସାଧିକ କାଳ ହେଲା ମହାରାଜାଙ୍କ ହାତରେ ତାଙ୍କ ବୀରତ୍ବର ପ୍ରତୀକ ଖଣ୍ଡା ନାହିଁ । ଖଣ୍ଡା ଭାଙ୍ଗି ପଡ଼ିଥିବା ବେଳେ ଏହାର ମରାମତି ପାଇଁ ପୌରପାଳିକା ପଦକ୍ଷେପ ନେଉନାହିଁ ।
ଖାଲି ଯେ ମହାରାଜ ସୋମନାଥଙ୍କୁ ଅବହେଳା ହୋଇଛି ତାହା ନୁହେଁ, ସହରର ଗାନ୍ଧୀ ପାର୍କରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଆଉ ତାଙ୍କ ଚଷମା ନାହିଁ । ଯାହାର ଖବର ମଧ୍ୟ ପୌରପାଳିକା ପାଖରେ ନାହିଁ । ସେପଟେ ପୌରାଧ୍ୟକ୍ଷଙ୍କ ପଚାରିବାରୁ ସେ କହିଛନ୍ତି ଯେ, ମହାରାଜାଙ୍କ ଖଣ୍ଡା କେଉଁ ପାଗଳ କି ଦୁର୍ବୃତ୍ତ ନେଇ ଯାଇଛନ୍ତି । ଖୁବଶୀଘ୍ର ଖଣ୍ଡା ଲାଗିଯିବ ।
ଇଟିଭି ଭାରତ, ଅନୁଗୋଳ