ମିନେଆପଲିସ: ସାମ୍ନାକୁ ଆସିଲା ଆମେରିକାର ପୋଲିସ ହେପାଜତରେ ମୃତ୍ୟୁବରଣ କରିଥିବା ଜର୍ଜ ଫ୍ଳୋଏଡଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରୁ ଫ୍ଳୋଏଡ କୋରୋନା ଭାଇରସ ପଜିଟିଭ ଥିବା ଜଣାପଡିଛି । ମିନେଆପଲିସ ପୋଲିସ ହେପାଜତରେ ଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଳୋଏଡଙ୍କ ମୃତ୍ୟୁକୁ ନେଇ ସାରା ଆମେରିକାରେ ବିକ୍ଷୋଭ ଦେଖାଦେଇଥିଲା ।
ପରିବାର ଲୋକଙ୍କ ସମ୍ମତି ସହ ଏକ 20 ପୃଷ୍ଠାର ମୃତଶରୀର ବ୍ୟବଚ୍ଛେଦ ରିପୋର୍ଟ ହନ୍ନେପିନ କଣ୍ଟ୍ରି ମେଡିକାଲ ଅଫିସରଙ୍କ ପକ୍ଷରୁ ଜାରି କରାଯାଇଛି । ରିପୋର୍ଟରେ ପ୍ଳୋଏଡ ହୃଦଘାତର ଶିକାର ହୋଇଥିଲେ ବୋଲି କୁହାଯାଇଛି । ଏଥିସହିତ 25 ତାରିଖ ଦିନ ମୃତ୍ୟୁକୁ ହତ୍ୟା ବୋଲି ଦର୍ଶାଯାଇଛି ।
ଏପ୍ରିଲ 3ରେ ଫ୍ଳୋଏଡଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ରହିଥିଲା ତେବେ, ତାଙ୍କଠାରେ କୌଣସି ଲକ୍ଷଣ ନଥିଲା ବୋଲି ମୁଖ୍ୟ ମେଡିକାଲ ଅଫିସର ଆଣ୍ଡ୍ରିୟୁ କବର କହିଛନ୍ତି ।
ରିପୋର୍ଟରେ ଫ୍ଳୋଏଡଙ୍କ ଫୁସଫୁସ ସୁସ୍ଥ ଥିଲା, ମାତ୍ର ହାର୍ଟରେ ସାମାନ୍ୟ ଅସୁବିଧା ରହିଥିଲା ।
ଜର୍ଜ ଫ୍ଳୋଏଡ ଜଣ ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ବ୍ୟକ୍ତି ଥିଲେ । ଆମେରିକାରେ କଳା-ଗୋରା ବିବାଦ ବେଶ ପୁରୁଣା । ତେବେ ଜର୍ଜଙ୍କ ମୃତ୍ୟୁରେ ଉଭୟ କଳା-ଗୋରା ହଜାର ହଜାର ଆମେରିକୀୟ ବର୍ଣ୍ଣ ଭେଦଭାବ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଲସ୍ ଆଞ୍ଜେଲେସ, ନ୍ୟୁୟର୍କ, ଚିକୋଗୋ, ବୋଷ୍ଟାନ, ମିଆମୀ ଆଦି ପ୍ରମୁଖ 40 ସହରରେ କର୍ଫ୍ୟୁ ଜାରି ହୋଇଥିଲା । ଆନ୍ଦୋଳନ ଉଗ୍ର ରୂପ ନେବା ଦେଖି, ଆମେରିକା ରାଷ୍ଟ୍ରପତି ଅଣ୍ଡରଗ୍ରାଉଣ୍ଡ ବୋଲି ଆମେରୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ।
(AP)