କଲମ୍ବୋ: ଆଜି ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚରେ ୩୮ ରନରେ ବିଜୟ ହେବା ପରେ ଦ୍ବିତୀୟ ମ୍ୟାଚକୁ ଜିତି ସିରିଜ କବଜା କରିବା ନେଇ ଲକ୍ଷ୍ୟ ରଖିଛି ଭାରତ । ଏ ପଟେ ଘରୋଇ ଦଳ ପାଇଁ ଆଜି ଶେଷ ସୁଯୋଗ ।
ଦିନିକିଆ ସିରିଜରେ ପରାଜିତ ହୋଇସାରିଛି ଶ୍ରୀଲଙ୍କା । ପ୍ରଥମ ଟି-ଟ୍ବେଣ୍ଟିରେ ମଧ୍ୟ ପରାସ୍ତ ହୋଇଛି । ଟି-ଟ୍ବେଣ୍ଟି ସିରିଜ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ । ଆଜିର ମ୍ୟାଚରେ ବିଜୟ ପାଇଁ ଶ୍ରୀଲଙ୍କା ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛି ।
ଆଜିର ମ୍ୟାଚରେ ଭାରତୀୟ ଦଳରେ କିଛି ପରିବର୍ତ୍ତନର ଆଶା ରହିଛି । ପୃଥୀ ଶ' ଓ ସୂର୍ଯ୍ୟକୁମାର ଯାଦବଙ୍କୁ ବିଶ୍ରାମ ଦିଆଯିବାର ଆଶଙ୍କା ରହିଛି । ଉଭୟଙ୍କ ପରିବର୍ତ୍ତେ ଦେବଦତ୍ତ ପାଡିକର ଓ ଋତୁରାଜଙ୍କୁ ସୁଯୋଗ ମିଳିପାରେ । ମନିଷ ପାଣ୍ଡେ ଏକାଦଶକୁ ଫେରିବାର ସମ୍ଭାବନା ନାହିଁ । ବୋଲିଂ ବିଭାଗରେ କିଛି ପରିବର୍ତ୍ତନ ହେବ ନାହିଁ । ଆଜିର ମ୍ୟାଚରେ ସଞ୍ଜୁ ସାମସନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେ କିଛି ଦର୍ଶକୀୟ ସଟ ଖେଳିବେ ବୋଲି ଦର୍ଶକ ଆଶା ରଖିଛନ୍ତି ।
ଅନ୍ୟପଟେ ପ୍ରଥମ ଟି-୨୦ ମ୍ୟାଚ ହାରିଯାଇଥିବା ଶ୍ରୀଲଙ୍କା ଆଜିର ମ୍ୟାଚକୁ ଜିତି ଶୃଙ୍ଗଳାରେ ସ୍ଥିତି ସୃଦୁଢ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ମ୍ୟାଚରେ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ ବେପରୁଆ ପ୍ରଦର୍ଶନ ପାଇଁ ଦଳ ପରାସ୍ତ ହୋଇଥିଲା । ଏହାକୁ ସଜାଡି ନେବା ପାଇଁ ଯୁବ ଶ୍ରୀଲଙ୍କା ଦଳ ଚେଷ୍ଟା କରିବ ନଚେତ ଶୃଙ୍ଖଳା ହାତଛଡା ହୋଇଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ