କୋଲକାତା: 2020 ଆଇପିଏଲ ନିଲାମ ପ୍ରକିୟା ଚାଲୁ ରହିଛି । ନିଲାମିରେ ବିଦେଶୀ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି । ସବୁ ଫ୍ରାଞ୍ଚାଇଜ ବିଦେଶୀ ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିବାକୁ ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ତେବେ ଆଇପିଏଲ ଫ୍ରାଞ୍ଚାଇଜ 19 ବର୍ଷରୁ କମ ଭାରତୀୟ ଯୁବ ଟିମର ଖେଳାଳିଙ୍କୁ ମଧ୍ୟ ଟିମରେ ସାମିଲ କରିଛନ୍ତି । ଏହି କ୍ରମରେ 17 ବର୍ଷୀୟ ଜଶସ୍ବୀ ଜୟସ୍ବାଲଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ । 2.40 କୋଟି ଟଙ୍କାରେ ଏହି ଯୁବ କ୍ରିକେଟର ନିଲାମ ହୋଇଛନ୍ତି । ତାଙ୍କର ବେସ ପ୍ରାଇସ 20 ଲକ୍ଷ ରହିଥିଲା ।
ଏଥିସହିତ ଆଇପିଏଲ ଇତିହାସରେ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଜଶସ୍ବୀ କ୍ରିକେଟକୁ ଆସିବା ପୂର୍ବରୁ ଗୁପଚୁପ ବିକ୍ରି କରୁଥିଲେ । ଉତ୍ତର ପ୍ରଦେଶର ଏକ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମିତ 17 ବର୍ଷୀୟ ଜଶ୍ବସୀ ଏବେ କୋଟିପତି ହୋଇଛନ୍ତି । ମାତ୍ର 11 ବର୍ଷ ବୟସରେ ଜଶସ୍ବୀ କ୍ରିକେଟର ସ୍ବପ୍ନ ଦେଖଥିଲେ । ଏକ ଝୁମ୍ପୁଡି ଘରେ ରହି ଆଜାଦ ମଇଦାନ ଓ ଗୁପଚୁପ ବିକିବା କାର୍ଯ୍ୟ କରିଥିଲେ । ତେବେ ଏହାପରେ ସେ ଏକ ବିଦ୍ୟାଳୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ପାଇଥିଲେ । ଅପରାଜିତ 319 ରନର ଇଂନିସ ଓ 13 ଟି ୱିକେଟ ଅକ୍ତିଆର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏଥିସହିତ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ ଓ ୱିକେଟ ହାସଲ କରିବାର ରେକର୍ଡ କରିଥିଲେ । ଏହାପରେ ସେ ଲିଷ୍ଟ ଏ କ୍ରିକେଟରେ 154 ବଲରୁ 12 ଛକା ଓ 17 ଚୌକା ସହ 203 ରନ କରି ରେକର୍ଡ କରିଥିଲେ । ବିଜୟ ହଜାରେ ଟ୍ରଫିରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ।
ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ, ରାଜସ୍ଥାନ ରୟାଲ୍ସ ମଧ୍ୟରେ ଜଶସ୍ବୀଙ୍କୁ ନେଇ କଡା ଟକ୍କର ହୋଇଥିଲା । ତେବେ ଏଥିରେ ବାଜି ମାରିଥିଲା ରାଜସ୍ଥାନ ରୟାଲ୍ସ ।