ନୂଆଦିଲ୍ଲୀ: ଭାରତର ଦୁଇଥର ଅଲମ୍ପିକ୍ସ ପଦକ ବିଜୟିନୀ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ନୂଆ ଦାୟିତ୍ବ । ସୋମବାର ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେଶନ (BWF) ଆଥଲେଟ୍ସର କମିଶନର ଜଣେ ସଦସ୍ୟା ଭାବେ ନିଯୁକ୍ତ ହୋଇଛନ୍ତି ସିନ୍ଧୁ (PV Sindhu appointed BWF's Athletes' Commission member)। ୨୬ ବର୍ଷୀୟ ପୂର୍ବତନ ବିଶ୍ବ ଚମ୍ପିୟନଙ୍କ ବ୍ୟତୀତ ଅନ୍ୟ ୫ଜଣଙ୍କୁ ମଧ୍ୟ ସମାନ ନିଯୁକ୍ତି ମିଳିଛି, ଯେଉଁମାନେ ୨୦୨୫ ପର୍ଯ୍ୟନ୍ତ ନିଜର ଦାୟିତ୍ବ ତୁଲାଇବେ ।
ସମସ୍ତ ସଦସ୍ୟ ହେଲେ ଭାରତର ପିଭି ସିନ୍ଧୁ, ୟୁଏସଏର ଇରିଶ ୱାଙ୍ଗ, ନେଦରଲାଣ୍ଡର ରବିନ ଟାବେଲିଂ, ଇଣ୍ଡୋନେସିଆର ଗ୍ରେସିଆ ପୋଲି, କୋରିଆର କିମ ସୋୟଙ୍ଗ ଓ ଚାଇନାର ଝେଙ୍ଗ ସି ୱେ । ଏହି ୬ଜଣ ସଦସ୍ୟ ଖୁବ ଶୀଘ୍ର ଏକ ବୈଠକ ଡାକି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବାଛିବେ ।
୨୦୧୬ରେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ । ଏହାପରେ ସେ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିଲେ । ମର୍ଯ୍ୟାଦାପୂର୍ଣ୍ଣ ବିଶ୍ବ ଚାମ୍ପିୟନସିପରେ ସିନ୍ଧୁ ୨ଟି ରୌପ୍ୟ, ୨ଟି ବ୍ରୋଞ୍ଜ ବ୍ୟତୀତ ୨୦୧୯ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।