ମସ୍କୋ: ଏଣିକି ଯେଉଁମାନେ ଋଷ ରାଷ୍ଟ୍ରପତି ବ୍ଲାଦୀମିର ପୁତିନଙ୍କ ଭେଟିବେ ସେମାନଙ୍କୁ ବର୍ତ୍ତମାନ ଏକ ଡିଭାଇସ ଦେଇ ଯିବାକୁ ପଡିବ। ଏହି ଡିଭାଇସର ନାମ ଡିସଇନଫେକ୍ସନ ଟନେଲ ରଖାଯାଇଛି । ତେବେ ଏହି ଖାସ୍ ପଦକ୍ଷେପ କୋରୋନା ଭାଇରସର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି।
କ୍ରେମଲିନ୍ ମୁଖପାତ୍ର କହିଛନ୍ତି, ଡିସଇନଫେକ୍ସନ ଟନେଲକୁ ଋଷର କମ୍ପାନୀ ପ୍ରସ୍ତୁତ କରିଛନ୍ତି । ଏହି ଟନେଲ ଅଟୋମେଟିକ କାମ କରିଥାଏ । ଟନେଲକୁ ଯିବାବେଳେ ଏକ ଅଲଟ୍ରା ଭାଓଲେଟ୍ ରଶ୍ମି ନିର୍ଗତ ହୁଏ । ଟନେଲରେ ପ୍ରଥମେ ପରିଦର୍ଶକ ମାନଙ୍କ ଉପରେ କିଟାଣୁନାଶକ ସ୍ପେ କରାଯିବ । ଡିଭାଇସରେ ଅନ୍ୟ ଟେକ୍ନିକ ସହିତ ଚେହେରା ଚିହ୍ନିବା ଟେକନିକ ମଧ୍ୟ ବ୍ୟବହାର କରାଯାଇଛି । ତେବେ ବର୍ତ୍ତମାନ ଏହା ସ୍ପଷ୍ଠ ହୋଇନି ଯେ ଋଷ ରାଷ୍ଟ୍ରପତି ଏହାକୁ ବ୍ୟବହାର କରିଛନ୍ତି କି ନାହିଁ ।
ରାଷ୍ଟ୍ରପତି ପୁତିନ ମସ୍କୋ ବାହାରେ ନିଜ ସ୍ଥାନରେ ସେଲ୍ଫ ଆଇସୋଲେସନରେ ଅଛନ୍ତି । ମାତ୍ର ଗତ ଜୁନ୍ 12ରେ ଋଷର ସରକାରୀ ଦିବସରେ ସେ କାର୍ଯ୍ୟକ୍ରମରେ ନଜର ଆସିଥିଲେ । ତେବେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ରାଷ୍ଟ୍ରପତିଙ୍କ ନିକଟତର ଲୋକ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଜନ ହପକିନ୍ସ ରିପୋର୍ଟ ଅନୁଯାୟୀ, କୋରୋନା ଦୃଷ୍ଟିରୁ ଋଷ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି । ସେହିପରି ଆମେରିକା ପ୍ରଥମ ଏବଂ ବ୍ରାଜିଲ ଦ୍ବିତୀୟରେ ରହିଛି ।