ଜାକର୍ତ୍ତା: ଆଉ ଦୁଇ ଦିନ ପରେ ଆରମ୍ଭ ହେବ ଇସଲାମ ଧର୍ମର ସବୁଠାରୁ ପବିତ୍ର କୁହାଯାଉଥିବା ରମଜାନ ମାସ । ଏହି ମାସରେ ଇସଲାମ ଧର୍ମାବଲମ୍ବୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟାସ୍ତ ପର ଯାଏଁ ଉପବାସ ରଖନ୍ତି । ଆଉ ସନ୍ଧ୍ୟାରେ ବନ୍ଧୁ ପରିଜନଙ୍କ ସହ ଏକାଠି ବସି ଫଳ ଖାଇ ଇଫତାରରେ ଉପବାସ ଭାଙ୍ଗନ୍ତି । ହେଲେ ଚଳିତବର୍ଷ କୋରୋନା ମହାମାରୀ ସତେ ଯେମିତି ଏହି ପବିତ୍ର ମାସ ପାଇଁ ଗ୍ରହଣ ସାଜିଛି ।
ନା କେହି ବନ୍ଧୁ ଚଳିତବର୍ଷ ଘରକୁ ଆସିପାରିବେ ନା ଆମେ କାହା ପାଖକୁ ଯାଇପାରିବୁ । ଏମିତି କିଛି କହି ଲୁହ ଛଳଛଳ ହୋଇ ପଡିଛନ୍ତି ଇଣ୍ଡୋନେସିଆର ଜାକର୍ତ୍ତାସ୍ଥିତ କିଛି ଇସଲାମ ଧର୍ମାବଲମ୍ବୀ । ମିଳନର ପର୍ବ ଭାବେ ମଧ୍ୟ ଜଣାଯାଉଥିବା ଏହି ମାସକୁ ଇସଲାମ ଧର୍ମରେ ବେଶ ଧୁମଧାମରେ ପାଳନ କରାଯାଉଥିବା ବେଳେ ଚଳିତବର୍ଷ ଏହି ପାଳନରେ ଲାଗିଛି କୋରନାର ନଜର । ଏବର୍ଷ ନା ମସଜିଦ ଯାଇ ହେବ ନା କରିହେବ ସାମୂହିକ ପ୍ରାର୍ଥନା ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଲୋକେ ।
ତେବେ ସନ୍ଧ୍ୟା ବେଳେ ଉପବାସ ଭାଙ୍ଗିବା ପାଇଁ ଇଫତାର ପାଳନ ପରେ ମଧ୍ୟ ତାରାୱିହ ପ୍ରାର୍ଥନାର ବିଧି ରହିଛି । ଯାହାକୁ ମସଜିଦରେ ସାମୂହିକ ଭାବେ ପଢାଯାଏ । ହେଲେ ଚଳିତବର୍ଷ ଏହା ସମ୍ଭବ ନୁହେଁ । ତେଣୁ ଇତିହାସରେ ଏହା ଏକ କଳଙ୍କିତ ବର୍ଷ ବୋଲି କେତେକ ମତ ଦେଇଛନ୍ତି । ସେପଟେ ବର୍ଷ ତମାମ ରହିଥିବା ରାଗ ରୁଷାକୁ ଭୁଲି ରମଜାନରେ ପରିବାର ଓ ବନ୍ଧୁ ପରିଜନ ଏକାଠି ହୋଇଥାଆନ୍ତି । ହେଲେ କୋରୋନା ପାଇଁ ଏବର୍ଷ ତାହା ବି ହୋଇପାରୁନାହିଁ ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି ଇସଲାମ ଧର୍ମାବଲମ୍ବୀ ।