ଓଟାୱା: କାନାଡାର ଟରଣ୍ଟୋରେ ଏକ ପାସେଞ୍ଜର ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଦୁଇଜଣ ଗୁୁରୁତର ଅଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟରୋଣ୍ଟୋରେ ଥିବା କନସୁଲେଟ୍ ଜେନେରାଲ୍ ଟିମ୍ ସେମାନଙ୍କ ଯୋଗାଯୋଗରେ ଅଛନ୍ତି । ଭାରତର ହାଇ କମିଶନର ଅଜୟ ବିସାରିୟା ଏହି ସୂଚନା ଦେଇଛନ୍ତି ।
ମୃତକମାନେ ହେଲେ ହରପ୍ରୀତ ସିଂ, ଜସପିନ୍ଦର ସିଂ, କରଣପାଲ ସିଂ, ମୋହିତ ଚୌହାନ ଏବଂ ପୱନ କୁମାର ବୋଲି ଜଣାପଡିଛି । ସେମାନଙ୍କର ବୟସ ୨୧ରୁ ୨୪ ବର୍ଷ ମଧ୍ୟରେ ହେବ । ସେମାନେ ସମସ୍ତେ ଗ୍ରେଟର ଟରୋଣ୍ଟୋ ଏବଂ ମୋଣ୍ଟ୍ରିଆଲ୍ ଅଞ୍ଚଳର ଛାତ୍ର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେମାନେ ଏକ ଯାତ୍ରୀବାହୀ ଭ୍ୟାନରେ ରାଜପଥ ୪୦୧ ଦେଇ ପଶ୍ଚିମ ଦିଗକୁ ଯାଉଥିଲେ । ଶନିବାର ସକାଳ ପ୍ରାୟ ୩ଟା ୪୫ ବେଳେ ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା ।
ଦୁର୍ଘଟଣା ପରେ ଅନ୍ୟ ଦୁଇଜଣ ଗୁରୁତର ଆହତ ଯାତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଛି । ତେବେ ସେମାନଙ୍କ ଅବସ୍ଥା ସମ୍ପର୍କରେ କୌଣସି ପ୍ରକାର ସୂଚନା ଜଣାପଡିନି । ଦୁର୍ଘଟଣାର ପରେ ପୋଲିସ ତଦନ୍ତ ଜାରି ରହିଛି । ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଦାଖଲ ହୋଇନାହିଁ ।
@ANI