ରାଉରକେଲା: ମଙ୍ଗଳବାର ରାଉରକେଲା ସହରରେ 4 ଟି ନୂଆ କୋରୋନା ପଜିଟିଭ କେସ ଆସିଛି । ସମସ୍ତ ସଂକ୍ରମିତ ଗୋଟିଏ ପରିବାରର । ସହରର ନାଲା ରୋଡ୍ ତଥା ସଂଲଗ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇ ଥିବାବେଳେ ସଂପୃକ୍ତ ଅଞ୍ଚଳରେ ମହାନଗର ନିଗମର ପୂରା ଟିମ ଜୋରସୋରରେ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ଲାଗି ପଡିଛନ୍ତି।
କଣ୍ଟେନମେଣ୍ଟ ଜୋନରେ ଆବଶ୍ୟକ ସେବା ଯୋଗାଇଛନ୍ତି ମହାନଗର ନିଗମ । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ୮୩ଟି ଟିମ୍, ସାନିଟାଇଜେସନ ଲାଗି ୨0ଟି ଟିମ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଲାଗି ୧୪ଟି ଟିମ ମୁତୟନ ହୋଇଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କର ସମ୍ପର୍କ ସେକ୍ଟର-18 ଅଞ୍ଚଳ ସହିତ ମଧ୍ୟ ରହିଛି । ସେଥିପାଇଁ ସେକ୍ଟର-୧୮ ଅଞ୍ଚଳରେ ମାଛ, ମାଂସ, ଇତ୍ୟାଦି ଦୋକାନ ବନ୍ଦ କରିବା ଲାଗି ନିର୍ଦ୍ଦେଶ ହୋଇଛି । କଣ୍ଟେନମେଣ୍ଟ ଜୋନ ନିମନ୍ତେ ମଧ୍ୟ ଖୋଲା ହୋଇଛି ସ୍ବତନ୍ତ୍ର ହେଲ୍ପ ଲାଇନ୍ ।
ମଙ୍ଗଳବାର ସକାଳୁ ୮୩ଟି ଟିମ୍ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ମହାନଗର ନିଗମ କାର୍ଯ୍ୟାଳୟରୁ ବାହାରିଥିଲେ । ସେହିପରି ସୋମବାର ସଂଧ୍ୟାରୁ ହିଁ ମହାନଗର ନିଗମର ୨0 ଟି ଟିମ୍ ସଂପୃକ୍ତ ଅଞ୍ଚଳରେ ସାନିଟାଇଜେସନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବିଭିନ୍ନ ଅଞ୍ଚଳରେ ଘରକୁ ଘର ବୁଲି ଲିକ୍ୟୁଇଡ ବ୍ଲିଚିଂ ସ୍ପ୍ରେ କରିଛନ୍ତି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଯଥା, ରାସନ ସାମଗ୍ରୀ, ପରିବା, ଫଳ ଓ କ୍ଷୀର ସଂପୃକ୍ତ ଅଞ୍ଚଳରେ ଯୋଗାଇଦେବା ଲାଗି ୧୪ଟି ଟିମ ମୁତୟନ ହୋଇଛନ୍ତି ।
ବୁଧବାର ଠାରୁ ଏହି କାର୍ଯ୍ୟରେ ଆହୁରି ଅଧିକ ଟିମ ନିୟୋଜିତ ହେବେ ବୋଲି ଜଣାପଡିଛି । ଏହି କାର୍ଯ୍ୟକୁ ଅଧିକ ପ୍ରଭାବୀ କରିବା ଲାଗି ମହାନଗର ନିଗମର କମିଶନର ସଂପୃକ୍ତ ଅଞ୍ଚଳ ବୁଲିବୁଲି ଲୋକଙ୍କୁ ସଚେତନ କରାଇଥିଲେ ।
ଲୋକଙ୍କୁ ଘରେ ହିଁ ରହିବାକୁ ଅନୁରୋଧ କରିଥିଲେ । ନିୟୋଜିତ ସ୍ବାସ୍ଥ୍ୟକର୍ମୀ ଏବଂ ପରିମଳକର୍ମୀଙ୍କୁ ଭେଟି କାମ କେମିତି ଚାଲିଛି ପଚାରି ବୁଝିଥିଲେ । ତା'ପରେ କାର୍ଯ୍ୟାଳୟକୁ ଫେରି ଖାଦ୍ୟ ବଣ୍ଟନ କାର୍ଯ୍ୟ, ବିଭିନ୍ନ ସହାୟତା ରାଶି ବଣ୍ଟନ କାର୍ଯ୍ୟ ଇତ୍ୟାଦିର ସମୀକ୍ଷା କରିଥିଲେ ।
ସେକ୍ଟର-୧୮ ଅଞ୍ଚଳରେ ଥିବା ମାଛ, ମାଂସ, ଇତ୍ୟାଦି ଦୋକାନକୁ ବନ୍ଦ କରିବା ଲାଗି ମଙ୍ଗଳବାର ନିର୍ଦ୍ଦେଶ ଜାରି ହୋଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବ୍ୟତୀତ ଅନ୍ୟ କିଛି ସମସ୍ୟା ସଂପର୍କରେ ତଦାରଖ କରିବା ଲାଗି ରାଉରକେଲା ଅତିରିକ୍ତ ତହସିଲଦାର ଅଭିଜିତ ମହନ୍ତ (ଫୋନ୍ ନଂ - 8763343484) ଙ୍କୁ ଦାୟିତ୍ବ ଦିଆଯାଇଛି । ତାଙ୍କୁ ସହଯୋଗ କରିବା ଲାଗି 2 ଜଣ ଓଏସଡିଙ୍କୁ ଦାୟିତ୍ବ ଦିଆଯାଇଛି । ସେମାନେ ହେଲେ ଲକ୍ଷ୍ମଣ କୁମାର ମୁର୍ମୁ ( ଫୋନ ନଂ - 9668687292) ଓ ସାରଙ୍ଗ ଶୋଭନ ପଟେଲ (ଫୋନ ନଂ - 8895790937) ଏମାନେ ବିଶେଷ କରି ଔଷଧପତ୍ର, ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଅନ୍ୟ ସେହିପରି କିଛି ସମସ୍ୟା ସଂପର୍କରେ ତଦାରଖ କରିବେ ।
ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ମୁଖ୍ୟ ତଦାରଖ ଦାୟିତ୍ବ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ଜେନେରାଲ ମ୍ୟାନେଜର (ଅପରେସନ୍ସ) ସଂଜୟ କୁମାର ନନ୍ଦ (ଫୋନ ନଂ-9437092721) ଓ ରାଉରକେଲା ଅତିରିକ୍ତ ଯୋଗାଣ ଅଧିକାରୀ (ଫୋନ ନଂ- 9078064354)ଙ୍କୁ ଦିଆଯାଇଛି ।
ସେହିପରି କଣ୍ଟେନମେଣ୍ଟ ଜୋନର ବିଭିନ୍ନ ସମସ୍ୟା ସଂପର୍କରେ ସୂଚନା ଦେବା ଲାଗି କିମ୍ବା ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଏକ ସ୍ବତନ୍ତ୍ର ହେଲ୍ପ ଲାଇନ୍ ଖୋଲାଯାଇଛି । ହେଲ୍ପ ଲାଇନ ନମ୍ବର ହେଲା 9439999942 ଓ 9777578758 । କଣ୍ଟେନମେଣ୍ଟ ଜୋନର ଜନସାଧାରଣ ବିଶେଷ ଅସୁବିଧା ହେଲେ ଏହି କଣ୍ଟ୍ରୋଲ ରୁମ ନମ୍ବରରେ ଫୋନ କରିବା ଲାଗି ପରାମର୍ଶ ଦିଆଯାଇଛି । କିନ୍ତୁ ଅଯଥାରେ କଣ୍ଟ୍ରୋଲ ରୁମକୁ ଫୋନ କରି ହଇରାଣ ନକରିବା ଲାଗି ଲୋକଙ୍କୁ ଅନୁରୋଧ କରାଯାଇଛି ।
ଏଭଳି ବିପତ୍ତି ସମୟରେ ଲୋକେ ସୁଖ ସ୍ବଚ୍ଛନ୍ଦ୍ୟକୁ ତ୍ୟାଗ କରି ସରଳ ଜୀବନଯାପନ ଲାଗି ଉଦ୍ଦିଷ୍ଟ ଜିନିଷପତ୍ର ଓ ଖାଦ୍ୟ ପଦାର୍ଥ ବ୍ୟବହାର ଲାଗି ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ଅନୁରୋଧ କରିଛନ୍ତି । ସାଧାରଣ ସମୟ ଭଳି ଯଦି ଏବେ ଲୋକେ ବିଭିନ୍ନ ସୌଖିନ ସାମଗ୍ରୀ ପାଇବା ଲାଗି ଦାବି କରିବେ, ତେବେ ମହାନଗର ନିଗମ ପକ୍ଷରୁ ତାହାର ଯୋଗାଣ କରିବା କଷ୍ଟକର ହେବ ବୋଲି ଶ୍ରୀ ପରିଡ଼ା ଜଣାଇଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ