ରାଉରକେଲା/ପୁରୀ: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା ରାଜ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏହି ଘଟଣାରେ ସମ୍ପୃକ୍ତ ଥିବା ବୀରମୁତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ପୋଲିସ ଏପର୍ଯ୍ୟନ୍ତ ଧରିବାରେ ସଫଳ ହୋଇ ପାରିନାହିଁ ।
ଏହି ଘଟଣାରେ ଜଡିତ ଜଣେ ଡାକ୍ତରଙ୍କ ସମେତ ଅନ୍ୟ 5 ଜଣଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ଧରିପାରିନାହିଁ । ସୂଚନାଯୋଗ୍ୟ, ସାରା ରାଜ୍ୟରେ ଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝିଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସୂଚନା ମୁତାବକ ଏହି ମାମଲା 14 ତାରିଖ ଦିନ ଘଟିବା ପରେ ନାବାଳିକାକୁ ବିଶ୍ରା ଚାଇଲଡ ଲାଇନରେ ରଖାଯାଇଥିଲା । ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଚାଇଲଡ ଲାଇନ ଯାଇଥିବାବେଳେ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଇଥିଲେ । ସେଠାରେ ନାବାଳିକା ଜଣକ CWC ସମ୍ମୁଖରେ ଏ ବାବଦରେ ନିଜ ବୟାନ ଦେବା ପରେ ସୁନ୍ଦରଗଡ଼ DCPOଙ୍କ ତରଫରୁ ରାଏବଗା ଥାନାରେ ବୀରମିତ୍ରପୁର ଥାନା ଅଧିକାରୀ, ଡାକ୍ତରଙ୍କ ସମେତ ଛଅ ଜଣଙ୍କ ନାମରେ ଏତଲା ଦିଆଯାଇଥିଲା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର ଓ ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ