କୋଣାର୍କ: ଚନ୍ଦ୍ରଭାଗାରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଦିଲ୍ଲୀର ମୁକେଶ ଜୈନ ଆରମ୍ଭ କରିଥିବା କାର୍ଯ୍ୟକୁ ନେଇ ବିବାଦ ଦେଖାଦେଇଛି । ସମ୍ପୂର୍ଣ୍ଣ ସରକାରୀ ଜାଗା ବେଆଇନ ଭାବେ ଦଖଲ କରି ଅବିକଳ କୋଣାର୍କ ମନ୍ଦିର ନିର୍ମାଣ ଆରମ୍ଭ କରାଯାଉଥିବାରୁ ଯୁବ ଅଧିବକ୍ତା ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । କୋଣାର୍କ ମନ୍ଦିର ନିକଟରେ ଆଉ ଏକ କୋଣାର୍କ ଭଳି ମନ୍ଦିର ନିର୍ମାଣ କରାଗଲେ ମୂଳ କୋଣାର୍କ ମନ୍ଦିରର ଗାରିମା ହ୍ରାସ ପାଇବ ବୋଲି ପୁରୀ ଯୁବ ଅଧିବକ୍ତା ସଂଘ କହିଛି ।
ସେହିପରି କୋଣାର୍କ ମନ୍ଦିର ନିର୍ମାଣ ପଛରେ ଅନେକ ଐତିହାସିକ କାହାଣୀ ଓ ପରମ୍ପରା ରହିଛି । ଏଣୁ ନୂଆ କୋଣାର୍କ ମନ୍ଦିର ନିର୍ମାଣକୁ ତୁରନ୍ତ ବନ୍ଦ କରିବା ପାଇଁ ଯୁବ ଅଧିବକ୍ତା ସଂଗଠନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଜିଲ୍ଲାପାଳ ଏଭଳି ଅଭିଯୋଗ ପାଇବା ପରେ ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ଦିର ନିର୍ମାଣ ସ୍ଥାନ ସମ୍ପୂର୍ଣ୍ଣ ସରକାରୀ ହୋଇଥିବା ଅଭିଯୋଗ ଉପରେ ପୂର୍ବରୁ ସ୍ଥାନୀୟ ଗୋପ ତହସିଲର ରାଜସ୍ବ ନିରୀକ୍ଷକଙ୍କ ପକ୍ଷରୁ ନୋଟିସ ଜାରି ହୋଇଥିଲା । ସେଠାରେ ନିର୍ମାଣ ବେଆଇନ ଦର୍ଶାଇ ଅଭିଯୋଗ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ କରୁଛନ୍ତି ଗୋପ ତହସିଲଦାର ।
ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ପ୍ରାୟ ୨ଶହ କୋଟି ଟଙ୍କା ଖର୍ଚ୍ଚରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣ କରିବା ପାଇଁ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା ନାମକ ସଙ୍ଗଠନର ମୁଖ୍ୟ ମୁକେଶ ଜୈନଙ୍କ ପକ୍ଷରୁ ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ତୀବ୍ର ବିରୋଧ ଦେଖିବାକୁ ମିଳୁଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ