ପୁରୀ: ରାତି ପହିଲେ ସ୍ନାନଯାତ୍ରା । ପରମ୍ପରା ଅନୁଯାୟୀ ଦଇତା ପତି ସେବକମାନେ ମହାପ୍ରଭୁଙ୍କ ସେନାପଟା ଲାଗି କରିଛନ୍ତି । ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ରାତି ଗୋଟାଏରୁ ପହଣ୍ଡି କରାଯିବାକୁ ନିଷ୍ପତ୍ତି ହୋଇଛି । କଟକଣାକୁ ଦୃଷ୍ଟିରେ ରଖି ୩୫ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୧୫ ସିସିଟିଭି କ୍ୟାମେରା ମାଧ୍ୟମରେ ଆଇନ ଶୃଙ୍ଖଳା ସ୍ଥିତି ଅନୁଧ୍ୟାନ ପାଇଁ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।
ବଡଦାଣ୍ଡର ମାର୍କେଟ ଛକଠାରୁ ଆରମ୍ଭ କରି କାକୁଡିଖାଇ ଛକ, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ,ବାଲି ସାହି, ହରଚଣ୍ଡୀ ସାହି, ଦୋଳମଣ୍ଡପ ସାହି, ଲବଣିଖିଆ ଛକ, ଖୁଣ୍ଟିଆ ସାହି, ପାଣ୍ଡ ଜାଗା, ଛପନ ଛକ, ଭୋଗଯାଗା ଓ ଲୋକନାଥ ରୋଡ଼ ଆଦି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଆଜି ରାତି ୧୦ରୁ ଆସନ୍ତା ୨୫ତାରିଖ ରାତି ୨ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ । ଭକ୍ତମାନେ ଚଳିତବର୍ଷ ସ୍ନାନନୀତି ଓ ହାତୀବେଶ ଦର୍ଶନ ସିଧା ପ୍ରସାରଣ ମାଧ୍ୟମରେ ଦେଖିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ସେପଟେ ସ୍ନାନଯାତ୍ରା ପାଇଁ ଆଜି ସେବାୟତଙ୍କୁ ପାସ ବଣ୍ଟନ କରାଯାଇଛି । RTPCR ନେଗେଟିଭ ରିପୋର୍ଟ ଓ ପାସ ପାଇଥିବା ସେବାୟତ ହିଁ ସ୍ନାନଯାତ୍ରାରେ ସାମିଲ ହେବେ । ରାତି 1ଟାରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀ ଉପରକୁ ବିଜେ କରିବେ । ପହଣ୍ଡି ପରେ ମଙ୍ଗଳଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ସକାଳେ ପ୍ରତ୍ୟକ୍ଷ ସ୍ନାନ ଅନୁଷ୍ଠିତ ହେବ ।
ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସଂଗୃହିତ ସୁବାସିତ ଜଳକୁ ଆଜିଠାରୁ ଅଧିବାସ ଗୃହରେ ରଖାଯାଇଥିବା ବେଳେ ଆସନ୍ତାକାଲି ଗରାବଡୁ ସେବକମାନେ ସଂଗୃହିତ ଜଳକୁ ସ୍ନାନ ବେଦୀକୁ ଆଣିବା ପରେ ପଞ୍ଚଉପଚାର ଵିଧିରେ ମେକାପଙ୍କ ସହାୟତାରେ ଜଳଲାଗି କରାଯିବ । ପରେ ମହାପ୍ରଭୁଙ୍କ ଛେରାପହଁରା ନୀତି ଓ ହାତୀବେଶ କରାଯାଇ ଭୋଗ ଅନୁଷ୍ଠିତ ହେବ ।
ଏ ସମସ୍ତ ନୀତି କରିବା ନେଇ ଶ୍ରୀମନ୍ଦିର ମଧ୍ୟକୁ କେବଳ ସୀମିତ ସେବାୟତମାନେ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । RTPCR ଟେଷ୍ଟ ହୋଇଥିବା ୯୦ ପ୍ରତିଶତ ସେବାୟତଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେବେ ଅନୁମତି ଥିବା ସେବକଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସେପଟେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାକୁ ସୁରୁଖୁରୁରେ ଅୟୋଜନ ନେଇ ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେହିପରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । 35 ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ସମଗ୍ର ବଡ଼ଦାଣ୍ଡରେ 144 ଧାରା ଜାରି ରହିବ । ତେବେ ସ୍ନାନଯାତ୍ରା ରେ ସାମିଲ ହେବାକୁ ଥିବା ଏକ ହଜାର ସେବାୟତ, ଶ୍ରୀମନ୍ଦିର କର୍ମଚାରୀଙ୍କ କୋଭିଡ ଟେଷ୍ଟ ହୋଇଛି ।
ମାତ୍ର 6 ଜଣଙ୍କ ରିପୋର୍ଟ ପଜେଟିଭ ଆସିଛି । କୋଭିଡ ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତିଙ୍କ ଶ୍ରୀମନ୍ଦିର ଭିତରକୁ ଛଡା ଯିବ। ସେହିପରି ରାତି 12 ଟା 30 ମହାପ୍ରଭୁଙ୍କ ନୀତି କାନ୍ତି ଆରମ୍ଭ ହେବା ପରେ ରାତ୍ର 1ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବ। ଛତିଶା ନିଯୋଗ ଅନୁମୋଦନ କରିଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ସବୁ କିଛି ହେବ । ତେବେ ଗଜପତି ମହାରାଜଙ୍କ ବଦଳରେ ମୁଦିରସ୍ତ ଏଥର ସ୍ନାନଯାତ୍ରାରେ ଛେରା ପହଁରା କରିବେ ।
ତେବେ କୋଭିଡ କଟକଣା ମଧ୍ୟରେ ସ୍ନାନଯାତ୍ରା ଆୟୋଜନ ହେଉଥିବାବେଳେ ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭକ୍ତଙ୍କୁ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ