ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ଏବଂ ମରାମତି ଦାବି ନେଇ ବିକ୍ଷୋଭ। ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଜି(ଶୁକ୍ରବାର) ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏନେଇ ବିକ୍ଷୋଭ କରାଯାଇଛି। ସଂଗଠନ ଅଭିଯୋଗ କରିଛି ରତ୍ନ ଭଣ୍ଡାର ସୁରକ୍ଷା ଦିଗରେ ରାଜ୍ୟ ସରକାର ଯେଉଁ ଅବହେଳା କରୁଛନ୍ତି ତାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି।
ସରକାର ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଯେଭଳି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସାଧାରଣରେ ପ୍ରଶ୍ନ ଉଠିଲାଣି ରତ୍ନ ଭଣ୍ଡାରରେ ରତ୍ନ ଅଛି ନା ଏହାକୁ କେହି ନେଇଯାଇଛନ୍ତି। ଏଭଳି ପ୍ରଶ୍ନ ଏବେ ପ୍ରତ୍ୟକ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆସୁଥିବା ବେଳେ ସରକାର ଯେଭଳି ଚୁପ ବସିଛନ୍ତି ତାହାକୁ ଛାତ୍ର କଂଗ୍ରେସ କେବେହେଲେ ବରଦାସ୍ତ କରିବନାହିଁ ବୋଲି କହିଛି। ତୁରନ୍ତ ସରକାର ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତି ନନେଲେ ଛାତ୍ର କଂଗ୍ରେସ ପୁରୀ ବନ୍ଦ ଡାକରା ଦେବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ଏହି ପ୍ରସଙ୍ଗରେ ପୁରୀ ଯୁବ କଂଗ୍ରେସ ପକ୍ଷରୁ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ