କଟକ: ନାଲକୋକୁ କୋଇଲା ଯୋଗାଣ କମ୍ କରାଯିବା ଯୋଗୁଁ ପ୍ଲାଣ୍ଟ ବନ୍ଦ ହେବାର ସମ୍ଭାବନା ଦେଖାଦେଇଛି । ଯଦି ନାଲକୋକୁ ପୂର୍ବ ଭଳି କୋଇଲା ଯୋଗାଣ ଜାରି ନ ରୁହେ ତେବେ ପ୍ଲାଣ୍ଟ ଚାଲିବ ନାହିଁ ଓ ଉତ୍ପାଦନ ବନ୍ଦ ହେବ । ଥରେ ପ୍ଲାଣ୍ଟ ବନ୍ଦ ହେଲେ ପୁଣି ଥରେ କାର୍ଯ୍ୟକ୍ଷମ ହେବାକୁ ୧୨ ମାସ ଲାଗିପାରେ । ଏଭଳି ପ୍ରସଙ୍ଗ ନେଇ ନାଲକୋ ଅଫିସରସ୍ ଆସୋସିଏସନ୍(Nalco officer Association) ଦାୟର କରିଥିବା ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି । ନାଲକୋ, ମହାନଦୀ କୋଲ ଫିଲ୍ଡସ୍ (MCL), କେନ୍ଦ୍ର ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଏଥିସହିତ ହାଇକୋର୍ଟ କହିଛନ୍ତି ଯେ ଏମସିଏଲର ଭରତପୁର ଖଣିରୁ କୋଇଲା ପରିବହନ ପାଇଁ ପୂର୍ବତଟ ରେଳବାଇ ଚାରିଟି ରାକ୍ ବ୍ୟବସ୍ଥା କରିବା ପାଇଁ ଯଦି ନାଲକୋ ଅନୁରୋଧ କରେ ତେବେ ଅଗ୍ରାଧିକାର ଭିତ୍ତିରେ ପୂର୍ବତଟ ରେଳବାଇ ଏହି ପ୍ରସଙ୍ଗରେ ବିଚାର କରିବ ।
ଏପ୍ରିଲ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାକୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନାଲକୋ ଅଫିସର୍ସ ଆସୋସିଏସନ୍ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବାରଣୀରୁ ପ୍ରକାଶ ଯେ କିଛି ଦିନ ତଳେ ଏମସିଏଲ ନାଲକୋକୁ ଯୋଗାଉଥିବା କୋଇଲା ପରିମାଣ ହ୍ରାସ କରିଥିଲା । ଶକ୍ତିକ୍ଷେତ୍ରକୁ କୋଇଲା ଯୋଗଣ ପ୍ରସଙ୍ଗକୁ ପ୍ରାଥମିକତା ଦେଇ ରେଳ ବିଭାଗକୁ ରାକ୍ ବ୍ୟବସ୍ଥା କରିବାକୁ ଏମସଏଲ ମାର୍ଚ୍ଚ ୨୨ରେ ଚିଠି କରିଥିଲା । ନାଲକୋ ସହିତ କୋଇଲା ଯୋଗାଣ ନେଇ ଏମସିଏଲ୍ ଚୁକ୍ତି ସ୍ବାକ୍ଷର କରିଥିଲେ ମଧ୍ୟ ଏହି ଚୁକ୍ତିରେ ରହିଥିବା ସର୍ତ୍ତ ଉଲ୍ଲଂଘନ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା ।
ଏହାମଧ୍ୟ ପଢନ୍ତୁ:ନାଲକୋରେ ଉତ୍କଟ କୋଇଲା ସଙ୍କଟ, ଉପୁଜିପାରେ ଅଚଳାବସ୍ଥା
ନାଲକୋକୁ କୋଇଲା ଯୋଗାଣ ହ୍ରାସ ଯୋଗୁଁ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ (ସିପିପି) ବନ୍ଦ ହେବାର ଆଶଙ୍କା ଦେଖାଦେଇଛି । ଏଭଳି ସ୍ଥିତିରେ ଲକ୍ଷାଧିକ ଲୋକଙ୍କ ଜୀବନଜୀବିକା ଆଜି ବିପଦ ମୁହଁରେ ରହିଛି । ଚୁକ୍ତି ମୁତାବକ ନାଲକୋକୁ କୋଇଲା ଯୋଗାଇବା ପାଇଁ ଏମସିଏଲକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ