କଟକ : କାଲି ସାବିତ୍ରୀ ବ୍ରତ । ବ୍ରତ ପୂର୍ବରୁ ଫଳ ବଜାରରେ ଲାଗିଲାଣି ନିଆଁ । ଆମ୍ବ କଲୋ ପିଛା ଦର ୧୦୦ଟଙ୍କା ପାର କରି ଯାଇଥିବାବେଳେ ସେଓ କିଲୋ ୨ଶହ ଟଙ୍କା ଉପରେ ରହିଛି । ତେବେ ଏହାକୁ ନେଇ ଏବେଠୁ ଚଳଚଞ୍ଚଳ ହୋଇପଡ଼ିଲାଣି ସିଲଭର ସିଟି । ରାସ୍ତା ଘାଟରେ ଲାଗିଲାଣି ଭିଡ଼ । ଏହି ଭିଡ଼ ମଧ୍ୟରେ ଉଚ୍ଚା ଫଳ ଦରକୁ ନେଇ ଅସନ୍ତୋଷ ଖାଉଟି । ଅନ୍ୟପଟେ ନିଆଣ୍ଟିଆ ଫଳ ଆମଦାନୀ ଯୋଗୁଁ ଦର ଉଚ୍ଚା ରହିଥିବା କହିଛନ୍ତି ଫଳ ବ୍ୟବସାୟୀ ।
ଯେଉଁ ଫଳ କିଣିଲେ ବି ଖାଉଟିଙ୍କ ମନରେ ତୀବ୍ର ଅସନ୍ତୋଷ । କାରଣ କାହାର ରେଟ ବି ତଳ ମୁହାଁ ନାହିଁ । ସପୁରୀ ୬୦ ଟଙ୍କା ରହିଥିବାବେଳେ କଦଳୀ ଡର୍ଜନକୁ ଶହେ ଟଙ୍କା । ସେହିପରି ଖଜୁରୀ ୨୦, ଲିଚୁ ୧୨୦, କମଳା ୧୫୦ , ପିଜୁଳି ଶହେ, ଜାମୁଡ଼ାଳ ୧୨୦, ଅଙ୍ଗୁରୁ ୧୦୦, ସେଓ ୧୦୦-୧୫୦ରେ ବିକ୍ରି ହେଉଥିଲାବେଳେ ନାସ୍ପତି କେଜି ୩୦୦ ଓ ଆମ୍ବ କିଲୋ ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଛି । ଯାହା କିଛି ବର୍ଷର ରେକର୍ଡ଼କୁ ପଛରେ ପକାଇ ଦେଇଛି ।
ଦୁଇ ବର୍ଷର କୋଭିଡ କାଳ ମଧ୍ୟରେ ସାବିତ୍ରୀ ପୂଜା ଠିକ ରୂପେ ହୋଇପାରିନଥିବାରୁ ଚଳିତବର୍ଷ ଏହାକୁ ବେଶ ଆକର୍ଷଣୀୟ ଢ଼ଙ୍ଗରେ କରିବା ପାଇଁ ଆଶା ରଖିଥିଲେ ମହିଳା । ହେଲେ ବଜାରରେ ଉଚ୍ଚା ଫଳ ଦର ଦେଖି ନିରାଶ ହୋଇଛନ୍ତି ଖାଉଟି । ଉଚ୍ଚ ଦର ଦାମ ଯୋଗୁଁ କିଲୋ ସ୍ଥାନରେ ୫୦୦ ନେଇ ପୂଜା କରିବା ପାଇଁ ଏକ ପ୍ରକାର ସ୍ଥିର କରିଛନ୍ତି ମହିଳା ।
ଅନ୍ୟପଟେ ଦର ଦାମ ବଢିବାର ମୂଳ କାରଣ ହେଉଛି ସ୍ୱଳ୍ପ ଆମଦାନୀ । କାରଣ ବଜାରରେ ଚଳିତବର୍ଷ ସାବିତ୍ରୀ ପାଇଁ ଯେଉଁ ହିସାବରେ ଫଳ ପ୍ରତି ଚାହିଦା ରହିଛି ସେହି ଅନୁପାତରେ ଆମଦାନୀ ହୋଇନି ଫଳ । ବିଶେଷକରି ଆମ୍ବ ଉପରେ ଖାଉଟିଙ୍କ ଚାହିଦା ଅଧିକ ରହୁଛି । ଓଡିଶାରେ ଆମ୍ବ ଉତ୍ପାଦନ ସ୍ୱଳ୍ପ ହେବାରୁ ଆନ୍ଧ୍ରରୁ ଆମ୍ବ ହେଉଛି ଆମଦାନୀ । ଯାହାଦ୍ୱାରା ଦର ବୃଦ୍ଧି ପାଇବା ସ୍ବାଭାବିକ । ତେବେ ଫଳ ଦାମ ଆକାଶ ଛୁଆଁ ରହିଥିବାରୁ ଖାଉଟି ମାନେ କିଣିବା ପ୍ରକ୍ରିୟାକୁ ସଙ୍କୁଚିତ କରିଛନ୍ତି । ଯାହାଦ୍ୱାରା ଫଳ ବ୍ୟବସାୟରେ ମଧ୍ୟ କ୍ଷତି ସହିଥିବା କହିଛନ୍ତି ବ୍ୟବସାୟୀ ।
ଇଟିଭି ଭାରତ, କଟକ