କଟକ: ପୁରୀଘାଟ ଥାନା ଅନ୍ତର୍ଗତ ଏକ ସୁନା ଦୋକାନରୁ ଏକ କିଲୋ ସୁନା ଗହଣା ଚୋରୀ ଘଟଣାର ପର୍ଦ୍ଦାଫାସ କଲା କଟକ କମିଶନରେଟ ପୋଲିସ । ଅଭିଯୁକ୍ତକୁ ଗିରଫ ସହ ଚୋରୀ ହୋଇଥିବା ଏକ କିଲୋ ସୁନା ଗହଣା ଜବତ କରିଛି । ଗତ ୬ ତାରିଖରେ ସୁନା ଚୋରୀ ହୋଇଥିବା ନେଇ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଥିଲା । ମାମଲାକୁ ଆଧାର କରି ତଦନ୍ତ ଜାରି ରଖିଥିଲା ପୋଲିସ ।
କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା ଅନୁଯାୟୀ ଗତ ୬ ତାରିଖରେ ସୁରଜିତ ଦତ୍ତ ନାମକ ଜଣେ ସୁନା ବ୍ୟବସାୟୀ ତାଙ୍କ ଦୋକାନରୁ ଚୋରୀ ହୋଇଥିବା ନେଇ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଏତଲାରେ ଦୋକାନର ଜଣେ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । କର୍ମଚାରୀ ଜଣକ ଗତ ୪ ତାରିଖରେ ପ୍ରାୟ ଏକ କିଲୋ ସୁନା ଗହଣା ଏବଂ ୮ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ କରିଥିଲେ ବ୍ୟବସାୟୀ ।
ପୋଲିସ ଅଭିଯୋଗକୁ ଭିତ୍ତି କରି ଦୋକାନୀଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଥିଲା । ପରେ ସେ କୋଲକାତାରେ ରହୁଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । କଟକ ପୋଲିସ ଏକ ଟିମ ଗଠନ କରି କୋଲକାତା ମଧ୍ୟ ଯାଇଥିଲା । ସେଠାରୁ ଅଭିଯୁକ୍ତକୁ ଗିରଫ କରିବା ସହ ତା' ନିକଟରୁ ସମସ୍ତ ଚୋରୀ ହୋଇଥିବା ସୁନା ଗହଣା ଜବତ କରିବା ସହ ୧୪ ହଜାର ଟଙ୍କା ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରିଛି ପୋଲିସ ।
ଇଟିଭି ଭାରତ, କଟକ