କଟକ: ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ଦଶମ ଶ୍ରେଣୀର ପ୍ରଥମ ଫର୍ମାଟିଭ ଆସେସମେଣ୍ଟ ପରୀକ୍ଷା । ତେବେ ଏହି ପରୀକ୍ଷା ପୂର୍ବରୁ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିଥିବା ବୋର୍ଡ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ଦେବା କାର୍ଯ୍ୟ ଆରମ୍ଭ କରିଛି । ଏନେଇ ବୋର୍ଡ ପକ୍ଷରୁ 3 ଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଯେଉଁଥିରେ ରାଜ୍ୟର 30ଟି ଜିଲ୍ଲାରୁ ଆସିଥବା 96 ଜଣ ଜଣ ମାଷ୍ଟର ଟ୍ରେନରଙ୍କୁ ତାଲିମ ପ୍ରଦାନ କରାଯାଉଥିବା ବେଳେ ଏହି ଶିକ୍ଷକମାନେ ପରବର୍ତ୍ତି ସମୟରେ ନିଜ ନିଜ ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରିବେ । ସୂଚନନୁଯାୟୀ ଚଳିତମାସ ଦ୍ବିତୀୟ ସପ୍ତାହରେ ଅନୁଷ୍ଠିତ ହେବ ଦଶମ ଶ୍ରେଣୀର ଫର୍ମାଟିଭ ଆସେସମେଣ୍ଟର ପ୍ରଥମ ପରୀକ୍ଷା ।
ଆଉ ଏହି ପରୀକ୍ଷା ପୂର୍ବରୁ ବୋର୍ଡ ମୁଖ୍ୟାଳୟରେ ତାଲିମ ନେଉଛନ୍ତି ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା 96 ଜଣ ଶିକ୍ଷକ ଶିକ୍ଷୟତ୍ରୀ । ଫର୍ମାଟିଭ ଆସେସମେଣ୍ଟ ଓ ଟର୍ମ ପରୀକ୍ଷା କିଭଳି ହେବ, ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ କିପରି ପ୍ରସ୍ତୁତ କରାଯିବ, କେଉଁ ଆଧାରରେ, ମାର୍କିଂ ହେବ ଓ ଫଳ ପ୍ରକାଶ କରାଯିବ । ଏହି ସମସ୍ତ ବିଷୟ ବାବଦରେ ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ତେବେ ଏହି ମାଷ୍ଟର ଟ୍ରେନରମାନେ ନିଜ ଜିଲ୍ଳାକୁ ଯାଇ ଜିଲ୍ଲା ସ୍ତରର ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରିବେ । ଏହାସହ 1956 ମସିହା ଠାରୁ ଅର୍ଥାତ 65 ବର୍ଷ ଧରି ପ୍ରଚଳିତ ମାଟ୍ରିକ ପରୀକ୍ଷା ଢାଞ୍ଚା ବା ପଦ୍ଧତିରେ ଚଳିତବର୍ଷ ଠାରୁ ବଡଧରଣର ପରିବର୍ତ୍ତନ ଆଣିଛି ମାଧ୍ୟମିକ ଶିକ୍ଷା ପରିଷଦ ।
ଚଳିତ ଶିକ୍ଷାବର୍ଷ ଠାରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବର୍ଷକୁ ଗୋଟିଏ ନୁହେଁ ବରଂ ପ୍ରତିବର୍ଷ 4ଟି ଫର୍ମାଟିଭ ଆସେସମେଣ୍ଟ ଓ ଦୁଇଟି ଟର୍ମ ପରୀକ୍ଷା କରି ମୋଟ 6ଟି ପରୀକ୍ଷା ଦେବେ । ଏବଂ ଏହି 6 ଟି ଯାକ ପରୀକ୍ଷାର ମୂଲ୍ୟାୟନକୁ ନେଇ ଚୁଡ଼ାନ୍ତ ମାଟ୍ରିକ ଫଳାଫଳ ପ୍ରକାଶ କରିବ ବୋର୍ଡ । ସେପଟେ ଫର୍ମାଟିଭ ଆସେସମେଣ୍ଟ ପରୀକ୍ଷା ପାଇଁ ସ୍କୁଲ କତ୍ତୃପକ୍ଷ ନିଜେ ପ୍ରଶ୍ନ ପତ୍ରପ୍ରସ୍ତୁତ କରିବା ସହିତ ମୂଲ୍ୟାୟନ କରିବେ କିନ୍ତୁ ଟର୍ମ ପରୀକ୍ଷା ବୋର୍ଡ ପରିଚାଳନାରେ ହେବ । ତେବେ ଏହି ନୂଆ ବ୍ୟବସ୍ଥାରେ ପ୍ରଥମ ଫର୍ମାଟିଭ ଆସେସମେଣ୍ଟ ପରୀକ୍ଷା ଆସନ୍ତା ସପ୍ତାହରେ କରାଯିବ । ଏବଂ ପ୍ରଥମ ଟର୍ମ ପରୀକ୍ଷା ନଭେମ୍ବର ମାସ ଶେଷ ସପ୍ତାହରେ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୂତି ଆରମ୍ଭ କରିବା ସହ ଏହି ବ୍ୟବସ୍ଥା ବେଶ ସଫଳ ହେବ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ