ଭୁବନେଶ୍ବର: ରାଜ୍ୟରେ ସୁରକ୍ଷିତ ପୌର ନିର୍ବାଚନ ପାଇଁ ଷ୍ଟ୍ରଙ୍ଗରୁମ ସ୍ଥାପନ କରାଯିବ । ପୌର ପରିଷଦ ଗୁଡିକରେ ତିନି ପ୍ରକାରର ଷ୍ଟ୍ରଙ୍ଗରୁମ୍ ସ୍ଥାପନ କରିବା ନେଇ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଯେଉଁ ପୌର ଅଞ୍ଚଳ ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ ସେହି ସ୍ଥାନ ଗୁଡିକରେ ଭୋଟଗ୍ରହଣ ପରେ ଇଭିଏମ୍ ଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ନିମନ୍ତେ ଷ୍ଟ୍ରଙ୍ଗରୁମ ସ୍ଥାପନ କରାଯିବ ।
କାଉନ୍ସିଲର/କର୍ପୋରେଟର ପଦବୀ ନିମନ୍ତେ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍ ରଖିବା ପାଇଁ ଗୋଟିଏ ଷ୍ଟ୍ରଙ୍ଗରୁମ୍, ପୌରାଧକ୍ଷ/ମେୟର ପଦବୀ ନିମନ୍ତେ ଇଭିଏମ୍ ରଖିବା ପାଇଁ ଗୋଟିଏ ଏବଂ ସଂରକ୍ଷିତ କରି ରଖିବା ନିମନ୍ତେ ଅନ୍ୟ ଗୋଟିଏ ଷ୍ଟ୍ରଙ୍ଗରୁମ୍ ସ୍ଥାପନ କରାଯିବ । ଯଦି ଗୋଟିଏ ଷ୍ଟ୍ରଙ୍ଗରୁମରେ ସମସ୍ତ ଇଭିଏମ୍କୁ ରଖିବା ପାଇଁ ସ୍ଥାନ ଅଭାବ ଦେଖାଯାଏ ତାହେଲେ ପାଖରେ ଥିବା ଅନ୍ୟ ଏକ ଷ୍ଟ୍ରଙ୍ଗରୁମରେ ଇଭିଏମ୍ଗୁଡ଼ିକୁ ରଖାଯିବ ଓ ସେହି ଷ୍ଟ୍ରଙ୍ଗରୁମ୍ର ପ୍ରବେଶ ଦ୍ଵାରରେ ସଠିକ ଭାବେ ଚିହ୍ନଟ କରାଯିବ ।
ପ୍ରତ୍ୟେକ ଷ୍ଟ୍ରଙ୍ଗରୁମକୁ ଯିବାଆସିବା ପାଇଁ ଗୋଟିଏ ମାତ୍ର ଦ୍ଵାର ବା ପ୍ରବେଶ ପଥ ରହିବ । ଯଦି ଷ୍ଟ୍ରଙ୍ଗରୁମ୍ରେ ପୂର୍ବରୁ ଝରକା କିମ୍ବା ଅନ୍ୟ ଏକ ଦ୍ଵାର ଥାଏ, ତାହାହେଲେ ସେଗୁଡ଼ିକୁ ଇଟା ଦ୍ଵାରା ସଠିକ୍ ଭାବେ ସିଲ୍ କରି ଦିଆଯିବ ।
ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରତ୍ୟେକ ପୌର ପରିଷଦ ତିନି ପ୍ରକାରର ଷ୍ଟ୍ରଙ୍ଗରୁମ୍ ସ୍ଥାପନ କରିବେ । ଯଥା ଷ୍ଟ୍ରଙ୍ଗରୁମ୍ ଭିତରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇ ଷ୍ଟ୍ରଙ୍ଗରୁମ୍ ବାହାରେ ମେନ୍ସୁଇଚ୍ ଲଗାଯିବ । ଷ୍ଟ୍ରଙ୍ଗରୁମ୍ ଭିତର ସଂପୂର୍ଣ୍ଣ ଭାବେ ବନ୍ଦ ରହିବ । ଷ୍ଟ୍ରଙ୍ଗରୁମ୍ ଭିତରକୁ ପବନ ଚଳାଚଳ ନିମନ୍ତେ ଦରକାର ହେଲେ ପବନ ଟାଣିବା ପଙ୍ଖା ଷ୍ଟ୍ରଙ୍ଗରୁମ୍ର ସାମ୍ନାପଟ ଉପରକୁ ଲାଗିଯାଇପାରେ । ନିର୍ବାଚନ କମିଶନଙ୍କ ଦ୍ଵାରା ନିର୍ଦ୍ଧାରିତ ନିର୍ବାଚନ ସାମଗ୍ରୀ ଓ ବସ୍ତାବିଜ୍ ମତଦାନ ସଂଗୃହୀତ ହୋଇଥୁବା ଇରିଏମ୍ ସହ ଷ୍ଟ୍ରଙ୍ଗରୁମ୍ରେ ରହିବ ।
ଷ୍ଟ୍ରଙ୍ଗରୁମ ଭିତରେ ଇଭିଏମ୍ଗୁଡ଼ିକୁ ଗଚ୍ଛିତ କରି ରଖିବା ପୂର୍ବରୁ ନିର୍ବାଚନ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ୍ ନିର୍ମାଣ କରିଥିବା କର୍ତ୍ତୃପକ୍ଷଙ୍କଠାରୁ ଷ୍ଟ୍ରଙ୍ଗରୁମର ସ୍ଥାୟିତ୍ଵ ଓ ଗୁଣବତ୍ତା ସଂପର୍କିତ ଏକ ପ୍ରମାଣପତ୍ର ଆଣି ନିଜ ପାଖରେ ରଖିବେ । ଷ୍ଟ୍ରଙ୍ଗ ରୁମ୍ଗୁଡ଼ିକର ସୁରକ୍ଷା ଓ ନିରାପତା ନିମନ୍ତେ ଡବଲ ଲକ୍ ବ୍ୟବସ୍ଥା କରାଯାଇ ଦୁଇଟି ଚାବିକୁ ଅଲଗା ଅଲଗା ଦୁଇଜଣ ଅଧିକାରୀଙ୍କ ଦାୟିତ୍ଵରେ ରଖାଯିବ । ଗୋଟିଏ ଚାବି ନିର୍ବାଚନ ଅଧିକାରୀ ଏବଂ ଅନ୍ୟଟି ଜିଲ୍ଲା କୋଷାଗାର ଅଧିକାରୀ କିମ୍ବା ଉପକୋଷାଗାର ଅଧିକାରୀ କିମ୍ବା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଦ୍ଵାରା ପ୍ରାଧିକୃତ ଅଧିକାରୀଙ୍କ ନିକଟରେ ରଖାଯିବ । ଷ୍ଟ୍ରଙ୍ଗରୁମ୍ଗୁଡ଼ିକୁ ସଶସ୍ତ୍ର ପୋଲିସ ଫୋର୍ସ ଦ୍ଵାରା ୨୪ ଘଣ୍ଟିଆ ସୁରକ୍ଷା ଦିଆଯିବ।
ଇଭିଏମ୍ କମିଶନିଂ ଦିନଠାରୁ ଭୋଟଗଣତି ପର୍ଯ୍ୟନ୍ତ ଷ୍ଟ୍ରଙ୍ଗ ରୁମ୍ଗୁଡ଼ିକରେ ସିସିଟିଭି ସହ ଡିଜିଟାଲ୍ ଭିଡ଼ିଓ ରେକର୍ଡର ଲାଗ ଯିବ । ଷ୍ଟ୍ରଙ୍ଗରୁମ୍ ଭିତରକୁ ପ୍ରତି ପ୍ରବେଶ ପ୍ରସ୍ଥାନ ନିମନ୍ତେ ଏକ ନଗ୍ବୁକ୍ରେ ଉଲ୍ଲେଖ କରାଯିବ ଓ ଷ୍ଟ୍ରଙ୍ଗରୁମକୁ ବନ୍ଦ ଓ ଖୋଲିବା ବେଳର ଭିଡ଼ିଓ ରେକର୍ଡିଂ କରାଯିବ । ଷ୍ଟ୍ରଙ୍ଗରୁମ୍ର ଉଭୟ ଭିତର ଓ ବାହାର ପାର୍ଶ୍ଵରେ ଅଗ୍ନିନିର୍ବାପକ ଯନ୍ତ୍ର ରହିବାର ବ୍ୟବସ୍ଥା କରାଯିବ ।
ଷ୍ଟ୍ରଙ୍ଗରୁମ୍ ଖୋଲିବା ଓ ବନ୍ଦ କରିବା ପାଇଁ ନିର୍ବାଚନ କମିଶନଙ୍କ ତରଫରୁ କେତେଗୋଟି ନିୟମ କରାଯାଇଛି । ତାହାହେଲା, ଇରିଏମ୍ ଥିବା ଷ୍ଟ୍ରଙ୍ଗରୁମ୍କୁ ଖୋଲିବା ବନ୍ଦ କରିବାର ୨୪ ଘଣ୍ଟା ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କୁ ନିଷ୍କୃତ ଭାବେ ଷ୍ଟ୍ରଙ୍ଗରୁମ୍ ଖୋଲିବା/ନନ୍ଦ କରିବାର ସମୟ ଓ ତାରିଖ ସଂପର୍କରେ ଜଣାଇ ଦିଆଯିବ । ପ୍ରାର୍ଥୀ କିମ୍ବା ତାଙ୍କର ପ୍ରତିନିଧିଙ୍କୁ ଷ୍ଟ୍ରଙ୍ଗରୁମ୍ ଖୋଲିବା/ ବନ୍ଦ କରିବା ସମୟରେ ଉପସ୍ଥିତ ରହିବା ପାଇଁ ଅନୁମତି ଦେବା ସହ ଏହାର ସଂପୂର୍ଣ୍ଣ ଭିଡ଼ିଓଗ୍ରାଫି କରାଯିବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଇଭିଏମ୍ଗୁଡ଼ିକୁ କମିଶନିଂ କରିବା ପୂର୍ବରୁ ଲିଖିତ ଭାବେ କମିଶନିଂର ସ୍ଥାନ, ସମୟ ଓ ତାରିଖ ସଂପର୍କରେ ସମସ୍ତ ପ୍ରାର୍ଥୀଙ୍କୁ ଜଣାଇ ଦିଆଯିବ । ଯାହା ଫଳରେ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀ କିମ୍ବା ପ୍ରତିନିଧିମାନେ ଇଭିଏମ୍ କମିଶନିଂ ସମୟରେ ଉପସ୍ଥିତ ରହିବେ ।
ଇଭିଏମ୍ଗୁଡ଼ିକର କମିଶନିଂ ପରେ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧ୍ଵଙ୍କ ଉପସ୍ଥିତିରେ ବାଲାଟ ୟୁନିଟ୍ ଓ କଣ୍ଟ୍ରୋଲ ୟୁନିଟକୁ ସଂଯୋଗ କରି ନିର୍ବାଚୀତ ବୁଥ୍ ପାଇଁ ଷ୍ଟ୍ରଙ୍ଗରୁମରେ ପ୍ରସ୍ତୁତ କରି ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇଭିଏମ୍ଗୁଡ଼ିକୁ ଦୁଇଟି ଅଲଗା ଅଲଗା ଷ୍ଟ୍ରଙ୍ଗରୁମ୍ରେ ରଖାଯିବ । ବିଜ୍ଞାପିତ ଅଞ୍ଚଳ ପରିଷଦ ମୁନିସପାଲିଟିର କାଉନ୍ସିଲର ଓ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଗୋଟିଏ ଷ୍ଟ୍ରଙ୍ଗ ରୁମ୍ ଏବଂ ମହାନଗର ନିଗମର କର୍ପୋରେଟର ଓ ମେୟର ନିର୍ବାଚନ ନିମନ୍ତେ ଅନ୍ୟ ଗୋଟିଏ ଷ୍ଟ୍ରଙ୍ଗରୁମରେ ଇଭିଏମ୍ ଗୁଡ଼ିକୁ ରଖାଯିବ । କେଉଁ ଷ୍ଟ୍ରଙ୍ଗରୁମ୍ରେ କେଉଁ ପ୍ରାର୍ଥୀମାନଙ୍କ ପାଇଁ ଇଭିଏମ୍ ରହିଛି, ଷ୍ଟ୍ରଙ୍ଗରୁମ୍ ବାହାରେ ସଠିକ୍ ଭାବେ ଚିହ୍ନିତ କରାଯିବ । ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍ରେ ଅବ୍ୟବହୃତ ଓ ଖରାପ ହୋଇଥିବା ଇଭିଏମ୍ଗୁଡ଼ିକୁ ଅନ୍ୟ ଗୋଟିଏ ସଂରକ୍ଷିତ ଷ୍ଟ୍ରଙ୍ଗ ରୁମ୍ରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂରକ୍ଷିତ ଷ୍ଟ୍ରଙ୍ଗରୁମ୍ ବାହାରେ ସଠିକ୍ ଭାବେ ଚିହ୍ନଟ କରାଯିବ ।
ଭୋଟଗ୍ରହଣ ପରେ ଇଭିଏମ୍ (ବାଲଟ ୟୁନିଟ୍ ଓ କଣ୍ଟ୍ରୋଲ ୟୁନିଟ୍) ଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇ ଷ୍ଟ୍ରଙ୍ଗରୁମ୍ ଭିତରେ କ୍ରମିକ ସଂଖ୍ୟାନୁସାରେ ନିର୍ଦ୍ଦିଷ୍ଟ ବୁଥ୍ ନିମନ୍ତେ ଚିହ୍ନଟ ହୋଇଥିବା ବର୍ଗାକାଗ ମଧ୍ୟରେ ରଖାଯିବ । ମତଦାନ ସରିବା ପରେ କାଉନ୍ସିଲର/କର୍ପୋରେଟର ପ୍ରାର୍ଥୀମାନଙ୍କ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍ ଗୁଡ଼ିକୁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗରୁମରେ ରଖାଯିବ ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍ଗୁଡ଼ିକୁ ପୂର୍ବରୁ ନିରୁପିତ ହୋଇଥିବା ଷ୍ଟ୍ରଙ୍ଗ ରୁମ୍ରେ ରଖାଯିବ ।
ନିର୍ବାଚନରେ ବ୍ୟବହୃତ ହୋଇ ନଥିବା ଇଭିଏମ୍, ଯେଉଁଗୁଡ଼ିକ ସେକ୍ଟର ଅଧିକାରୀଙ୍କ ପାଖରେ ଥିବ ନିର୍ବାଚନ ପରେ ସେସବୁ ଇଭିଏମ୍ ସଂରକ୍ଷିତ ଇଭିଏମ୍ ଷ୍ଟ୍ରଙ୍ଗରୁମ୍’ରେ ରଖାଯିବ । ଭୋଟଗ୍ରହଣ ପରେ ଇଭିଏମ୍ ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍ରେ ରଖିବାର ୨୪ ଘଣ୍ଟା ପୂର୍ବରୁ ଷ୍ଟ୍ରଙ୍ଗ ରୂମ୍ ନିମନ୍ତେ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ ପାଇଁ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିମାନଙ୍କୁ ଆଗୁଆ ଜଣାଇ ଦିଆଯିବ ଓ ସେମାନଙ୍କୁ ଷ୍ଟ୍ରଙ୍ଗରୁମ୍ ବାହାରେ ବ୍ୟବସ୍ଥା ହୋଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ରହିବାକୁ ଅନୁମତି ଦିଆଯିବ । ଯଦି ଷ୍ଟ୍ରଙ୍ଗ ରୁମ୍ଭର ପ୍ରବେଶ ପଥ ଦୃଶ୍ୟମାନ ହେଉନଥିବ, ତାହାହେଲେ ସିସିଟିଭିର ବ୍ୟବସ୍ଥା କରାଯିବ । ଭୋଟଗଣତି ଶେଷ ହେବା ପରେ କଣ୍ଟ୍ରୋଲ୍ ୟୁନିଟ୍କୁ ସିଲ୍ କରି ଷ୍ଟ୍ରଙ୍ଗରୁମ୍ରେ ରଖାଯିବ । କଣ୍ଟ୍ରୋକ ୟୁନିଗୁଡ଼ିକୁ ନିର୍ବାଚନ ପିଟିସନ୍ ସମୟ ଅର୍ଥାତ୍ ଭୋଟଗଣତି ଓ ଫଳାଫଳ ଘୋଷଣାର ୪୫ ଦିନ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମରେ ସୁରକ୍ଷିତ ଭାବରେ ରଖିବା ନିମନ୍ତେ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ