ଭୁବନେଶ୍ବର: ଗ୍ରାମାଞ୍ଚଳରେ ଅର୍ଥନୀତିର ଉନ୍ନତି ସକାଶେ କୁକୁଡ଼ା ପାଳନ ଓ ମାଛ ଚାଷ ହୋଇପାରିବ ପ୍ରମୁଖ ବେଉସା । ଗୁରୁବାର ନୂଆପଡା ଗସ୍ତ ଅବସରରେ ଏହା କହିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ । ବିଶେଷଭାବେ ନୂଆପଡ଼ା ଭଳି ଛୋଟ ଜିଲ୍ଲା ଏହି ଚାଷ କ୍ଷେତ୍ରରେ ଅଧିକ ଲାଭାନ୍ୱିତ ହୋଇପାରିବ ବୋଲି ଅସିତ୍ ମତବ୍ୟକ୍ତ କରିଛନ୍ତି । ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ସେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।
ମରୁଡ଼ି ପ୍ରପୀଡ଼ିତ ନୂଆପଡ଼ା ଜିଲ୍ଲାରେ ପୂର୍ବାପେକ୍ଷା ଏବେ ଅନେକ ପରିବର୍ତ୍ତନ ଆସିଛି । ଜିଲ୍ଲାରେ କୃଷି, ଗମନାଗମନ, ଟେଲି ଯୋଗାଯୋଗ, ବିଦ୍ୟୁତଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି କ୍ଷେତ୍ରରେ ଅନେକ ବିକାଶ ହୋଇଛି । ବିଶେଷକରି ସ୍ଥାନୀୟ ମୃର୍ତ୍ତିକା କପାଚାଷ ପାଇଁ ପ୍ରକୃଷ୍ଟ ଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ୪୬ଟି କୁକୁଡ଼ା ଫାର୍ମ ଗଢ଼ି ଉଠିଥିବା ଏକ ଭଲ ଖବର ବୋଲି ଅସିତ୍ ତ୍ରିପାଠୀ କହିଛନ୍ତି । ତା’ଛଡ଼ା ଉଦ୍ୟାନ କୃଷି, ମାଛ ଚାଷ, ପ୍ରାଣୀପାଳନ ଆଦି ଗ୍ରାମାଞ୍ଚଳରେ ବସବାସ କରୁଥିବା କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀଙ୍କ ପାଇଁ ଅର୍ଥକାରୀ ବେଉସା ହୋଇପାରିବ । ସେହିପରି ସୂର୍ଯ୍ୟମୁଖୀ ଚାଷକୁ ବ୍ୟାପକ ଭାବେ କରିବା ପାଇଁ ସ୍ଥାନୀୟ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସେ ଉଦ୍ୟାନକୃଷି ବିଭାଗକୁ ପରାମର୍ଶ ଦେଇଛନ୍ତି । ଏବେ ଜୈବିକ ଫସଲ ବିକ୍ରିବଟାର ଚାହିଦା ରହିଥିବା ହେତୁ ଚାଷୀଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି । ମାଣ୍ଡିଆ ଚାଷର ଭଲ ରେକର୍ଡ ଥିବା ହେତୁ ନୂଆପଡ଼ା ଜିଲ୍ଲାରେ ମାଣ୍ଡିଆ ପ୍ରକ୍ରିୟାକରଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।
ବିଜୁ ଏକ୍ସପ୍ରେସ୍ ୱେ ଜିଲ୍ଲା ପାଇଁ ବରଦାନ ପାଲଟିବ । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଏମଏସଏମଇ ପାର୍କ, ଶିଳ୍ପାଞ୍ଚଳ ଗଢ଼ିଉଠିଲେ ଜିଲ୍ଲାର ଅର୍ଥନୀତିରେ ପ୍ରଭୃତ ଉନ୍ନତି ସାଧନ ହେବା ସହିତ ସ୍ଥାନୀୟ ଲୋକେ କର୍ମସଂସ୍ଥାନ ପାଇପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି । ଏଥିପାଇଁ କେତେକ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଇଡ୍କୋ ତରଫରୁ ୧୦ଟି ସ୍ଥାନ ଚିହ୍ନଟ କରାଯାଇଥିବା ସେ ଦର୍ଶାଇଛନ୍ତି । ଜିଲ୍ଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ଏସବୁ ସ୍ଥାନଗୁଡ଼ିକର ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଜିଲ୍ଲାକୁ ବାହାର ପର୍ଯ୍ୟଟକ କିପରି ଆସିପାରିବେ ସେଥିପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି । ପତୋରା ଡ୍ୟାମରେ ନେଚର କ୍ୟାମ୍ପ୍ ପ୍ରତିଷ୍ଠା ଏବଂ ତିଖାଲିରେ ବୋଟିଂ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି WODC ଅଧ୍ୟକ୍ଷ । ଏଥିପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ଆବଶ୍ୟକୀୟ ପାଣ୍ଠିର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଗସ୍ତ କାଳରେ ସେ ବିଜୁ ଏକ୍ସପ୍ରେସ୍ ୱେ ନିର୍ମାଣର ଅଗ୍ରଗତି ପରିଦର୍ଶନ କରିବା ସହ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ, ସେଠାରେ ଥିବା ୱାଚ୍ ଟାୱାର, ସ୍ପିଲ୍ୱେ, ଡ୍ୟାମ୍ହେଡ୍, ଉଦ୍ୟାନ ପ୍ରଭୃତି ବୁଲି ଦେଖିଛନ୍ତି । ପରେ ସେ ଖଡ଼ିଆଳ ନିକଟସ୍ଥ ବାଦୀଗାଆଁରେ ନିର୍ମିତ ସରକାରୀ ଆଇଟିଆଇ ପରିଦର୍ଶନ କରିଛନ୍ତି । ସେ ସ୍ଥାନୀୟ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ଆଲୋଚନା କରି ସ୍ଥାନୀୟ ସମସ୍ୟାଗୁଡ଼ିକ ସଂପର୍କରେ ଅବଗତ ହୋଇଛନ୍ତି । ତାଙ୍କର ଏହି ଚାରିଦିନିଆ ଗସ୍ତରେ ସେ ସମ୍ବଲପୁର, ବରଗଡ଼ ଓ ନୂଆପଡ଼ାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ