ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ୧୫୫୦ କୋଟିର ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ସୁନ୍ଦରଗଡ଼, କେନ୍ଦୁଝର ଓ କଟକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଏହି ଯୋଜନା ମାଧ୍ୟମରେ ଯୋଗାଇ ଦିଆଯିବ । ମାର୍ଚ୍ଚ ୨୦୨୪ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ।
ରାଜ୍ୟ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, କେବଳ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୧୭୫ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଏହି ପ୍ରକଳ୍ପ ଦ୍ବାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରାୟ ୬.୪୦ ଲକ୍ଷ ଲୋକ ଉପକୃତ ହେବେ ।
ଏହାସହ କଟକ ଜିଲ୍ଲାର ୨.୬୧ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ୨୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହି ପ୍ରକଳ୍ପକୁ କେନ୍ଦ୍ର ଜଳ ଜୀବନ ମିଶନ ମାଧ୍ୟରେ ପାଣ୍ଠି ପ୍ରଦାନ କରାଯିବ ।
‘‘କାର୍ଯ୍ୟ ଆରମ୍ଭ ହେବାର ୨୪ ମାସ ମଧ୍ୟରେ ଏହି ଦୁଇ ବୃହତ ପ୍ରକଳ୍ପକୁ ସମାପ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ମୁମ୍ବାଇର ଏକ ଏଜେନ୍ସିକୁ ଏହି କାର୍ଯ୍ୟଭାର ଦିଆଯାଇଛି,’’ ବୋଲି କହିଛନ୍ତି ମନ୍ତ୍ରୀ ଜେନା ।
କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଚମ୍ପୁଆ ସହରବାସୀଙ୍କ ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କ୍ୟାବିନେଟ୍ ବୈଠକରେ ୧୦୩.୮୫୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଅଗଷ୍ଟ ୨୦୨୩ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ