ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା । ଆଜି ପୁଣି ରାଜ୍ୟର ସର୍ବାଧିକ 14ଟି ଜିଲ୍ଲାରେ 136 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଭୁବନେଶ୍ବରରୁ ଆଉ ଜଣେ କୋରୋନା ରୋଗୀ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ମୃତ୍ୟୁ କୋରୋନାରେ ହୋଇନଥିବା ଜଣାପଡିଛି । ମୃତକ ଜଣକ ଭୁବନେଶ୍ବରର 38 ବର୍ଷିୟ ମହିଳା ।
ତେବେ ସୋରିଆସିସ ରୋଗରେ ପୀଡିତ ଥିଲେ ମହିଳା ଜଣକ । ସେ କିଛିଦିନ ତଳେ କୋରୋନା ପଜିଟିଭ ଥିବା ଜଣାପଡିଥିଲା । ଏପରିକି କୋରୋନା ବ୍ୟତୀତ ଅନ୍ୟ ରୋଗରେ ମଧ୍ୟ ସେ ପୀଡିତ ଥିଲେ। କୋରୋନା ଆକ୍ରାନ୍ତ ପୂର୍ବରୁ ସେ ବହୁ ରୋଗରେ ପୀଡିତ ରହିଥିବା ବେଳେ ତାଙ୍କର ଅନେକ ଅଙ୍ଗ ଅଚଳ ହୋଇପଡିଥିଲା । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗ। ତେବେ ତାଙ୍କର ମୃତ୍ୟୁ କୋରୋନା ପାଇଁ ନୁହେଁ ଅନ୍ୟ କାରଣରୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ତେବେ 136ଜଣଙ୍କ ମଧ୍ୟରୁ 134 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 2 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ 8, ଝାରସୁଗୁଡାରୁ 4, ଖୋର୍ଦ୍ଧାରୁ 17, ଢେଙ୍କାନାଳରୁ 3, କଟକରୁ 7, କେନ୍ଦ୍ରାପଡାରୁ 1, ନୂଆପଡାରୁ 2, ଗଜପତିରୁ 7, କନ୍ଧମାଳରୁ 15, କଳାହାଣ୍ଡିରୁ 2, ଗଞ୍ଜାମରୁ 3, ପୁରୀରୁ 3 , ମୟୂରଭଞ୍ଜରୁ 9, ସମ୍ବଲପୁରରୁ ଜଣେ ଆକ୍ରାନ୍ତ ରହିଥିବାବେଳେ ଓଡ୍ରାଫ୍, ଏନଡିଆରଏଫ ଓ ଅଗ୍ନିଶମ ବିଭାଗର 54 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3386 ହୋଇଥିବାବେଳେ ସୁସ୍ଥ ହେଲେଣି 2282 । ସେଥିମଧ୍ୟରୁ କୋରୋନାରେ 9 ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ରାଜ୍ୟରେ 188743ଟି କୋରୋନା ଟେଷ୍ଟ ହୋଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ