ଭୁବନେଶ୍ବର: ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାମ୍ପ୍ରତିକ ବନ୍ୟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଅନେକ ଗାଁରେ ବନ୍ୟା ଜଳ ପଶି ଥିବାବେଳେ ଅନେକ ଚାଷଜମି ଜଗମଗ୍ନ ଅବସ୍ଥାରେ ରହିଛି । ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଛି ଏବଂ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ଛୋଟ ବନ୍ଧ ଭାଙ୍ଗିଛି । ସରକାରୀ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ଲୋକଙ୍କ ଏହି ବିପତ୍ତି ସମୟରେ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ, ଏସଆରସି ଓ ସ୍ଥାନୀୟ ନାଉରୀମାନେ ସର୍ବୋପରି ସ୍ଥାନୀୟ ଲୋକମାନେ ଯେପରି ସାହସ ଓ ପ୍ରତିବଦ୍ଧତାର ସହ ଲୋକଙ୍କୁ ସେବା ଯୋଗାଉଛନ୍ତି । ଯାହାର ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ, ସରକାରୀ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧିମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଚାଲିଛନ୍ତି । ଜଳ ସମ୍ପଦ ବିଭାଗର ତତ୍ପରତା ଯୋଗୁଁ ଅନେକ ବନ୍ଧକୁ ରକ୍ଷା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଲୋକଙ୍କ କଷ୍ଟ ଲାଘବ ସହ କ୍ଷତି ହ୍ରାସ କରିବା ଏବଂ ରାସ୍ତା, ଯୋଗାଯୋଗ, ବିଦ୍ୟୁତ ସରବରାହ ପୁନଃ ପ୍ରତିଷ୍ଠା ଏବଂ ବନ୍ଧବାଡର ମରାମତି କ୍ଷେତ୍ରରେ ତ୍ବରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଆମେ ବର୍ତ୍ତମାନ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛୁ । ବନ୍ୟା ଓ କୋରୋନା ଦୁଇଟି ବିପଦକୁ ଆମେ ମୁକାବିଲା କରୁଛୁ । ଏହି ପରିପ୍ରେକ୍ଷୀରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରି କୋରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ବନ୍ୟା ଦୁର୍ଗତମାନଙ୍କୁ ନିବେଦନ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଏହି କଠିନ ପରିସ୍ଥିତିରୁ ଆମେ ଶୀଘ୍ର ମୁକୁଳିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
ତେବେ ବନ୍ୟାପୀଡିତଙ୍କ ଦୁର୍ଦ୍ଦଶା ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଜରୁରୀ ସହାୟତା ଘୋଷଣା କରିଛନ୍ତି ।
- ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ସମସ୍ତ ଲୋକଙ୍କୁ ଆଶ୍ରୟସ୍ଥଳରେ ଥିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ତଥା ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ।
- ଗୁରୁତର ଭାବରେ କ୍ଷତିଗ୍ରସ୍ତ ତଥା ଜଳମଗ୍ନ ଗ୍ରାମର ପରିବାରବର୍ଗକୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ତୁରନ୍ତ ସହାୟତା ଯୋଗାଇ ଦିଆଯିବ ।
- ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍ ଯୋଗାଇ ଦିଆଯିବ ।
- ଏସଡିଆରଏଫ ନିୟମ ଅନୁଯୋୟୀ ଘରଭଙ୍ଗା ସହାୟତା ଦିଆଯିବ । ୧୫ ଦିନ ଭିତରେ ଜିଲ୍ଲାପାଳ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ ଏବଂ ପରବର୍ତ୍ତୀ ଏକ ସପ୍ତାହରେ ସହାୟତା ପ୍ରଦାନ କରାଯିବ ।
- ଏସଡିଆରଏଫ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତକୁ ଲୁଗାପଟା ଓ ବାସନକୁସନ ଦିଆଯିବ ।
- ଏସଡିଆରଏଫ ନିୟମ ଅନୁଯାୟୀ ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ସହାୟତା ଦିଆଯିବ ।
- କ୍ଷତିଗ୍ରସ୍ତ ଅଞ୍ଚଳରେ ପଶୁପକ୍ଷୀଙ୍କୁ ମାଗଣାରେ ଚିକିତ୍ସା ଓ ଟୀକାକରଣ ସୁବିଧା ମିଳିବ ।
- କ୍ଷତିଗ୍ରସ୍ତ ଅଞ୍ଚଳରେ ମାଗଣାରେ ପଶୁ ଚିକିତ୍ସା ଶିବିର ଖୋଲାଯାଇ ପଶୁପକ୍ଷୀଙ୍କ ଚିକିତ୍ସା କରାଯିବ ।
- ଅନ୍ୟ ସମସ୍ତ କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ ଏସଡିଆରଏଫ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ।
ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ସହାୟତା ଏବଂ ବନ୍ଧବାଡର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା କରିଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ ସାମ୍ପ୍ରତିକ ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୦ ବ୍ଲକ୍, ୩୯୯୦ଟି ଗାଁ ଏବଂ ୨୧ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ୩୬ଟି ଛୋଟ ଓ ଗୋଟିଏ ବଡ ଘାଇ ହୋଇଛି । ହୀରାକୁଦରେ ଜଳପ୍ରବାହ କମିଥିବାରୁ ପରିସ୍ଥିତିରେ ଖୁବଶୀଘ୍ର ଉନ୍ନତି ଆସିବ ବୋଲି ବୈଠକରେ ଆଶାପ୍ରକାଶ କରାଯାଇଥିଲା ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ