ଭୁବନେଶ୍ବର: ଅବକାରୀ କ୍ଷେତ୍ରରୁ ଅଧିକ ଟିକସ ନେବାକୁ ସରକାର ବାଟ ଫିଟାଇଛନ୍ତି । କିପରି ଓ କେଉଁ ବାଟରେ ରାଜସ୍ବ ବୃଦ୍ଧି କରାଯିବ ସେନେଇ ଯେମିତି ପୁରା କଳ ଲାଗିପଡିଛି । ଗୋଟିଏ ସପ୍ତାହରେ ଦୁଇ ଦୁଇଟି ଚିଠି ହିଁ ଏହା ପ୍ରମାଣିତ କରୁଛି ।
![opposition criticize this proposal](https://etvbharatimages.akamaized.net/etvbharat/prod-images/od-bbs-4-newliquorshop-avb-7205239_13112019155759_1311f_1573640879_394.jpg)
ନଭେମ୍ବର 7ରେ ହୋଇଥିବା ଚିଠିରେ ନୂଆ ମଦ ଦୋକାନ ପାଇଁ ପ୍ରସ୍ତାବ ମାଗିଲେ । ଆଉ ଏହାର ଠିକ ପରଦିନ ପରେ ଅର୍ଥାତ ନଭେମ୍ବର 8ରେ ଆଉ ଏକ ଚିଠି ଲେଖାଯାଇଛି, ଯେଉଁଥିରେ ଉଲ୍ଲେଖ ରହିଛି କି, ଏବେ ମେଳା ମହୋତ୍ସବରେ ବି ଖୋଲିବ ମଦ କାଉଣ୍ଟର । ଏମିତି ନିର୍ଦ୍ଦେଶ ଦେଇ ସବୁ ଜିଲ୍ଲାପାଳଙ୍କ ନିକଟକୁ ଏନେଇ ଚିଠି ଲେଖିଛି ବିଭାଗ ।
![opposition criticize this proposal](https://etvbharatimages.akamaized.net/etvbharat/prod-images/od-bbs-4-newliquorshop-avb-7205239_13112019155759_1311f_1573640879_906.jpg)
ମେଳା, ସାମାଜିକ କାର୍ଯ୍ୟକ୍ରମ, ରେଜିମେଣ୍ଟାଲ କ୍ୟାମ୍ପରେ ଖୋଲିପାରିବ ଦୋକାନ । ପୂର୍ବରୁ ନୂଆ ଦୋକାନ ପାଇଁ ପ୍ରସ୍ତାବ ମାଗିଥିଲେ । କେଉଁଠି ଠିପି ବନ୍ଦ ମଦ ଦୋକାନ ଖୋଲି ହେବ ତାର ସମସ୍ତ ବିବରଣୀ ଦେବାକୁ ଚିଠି କରିଥିଲା ଅବକାରୀ ବିଭାଗ ।
ଏହାକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ମଦର ପ୍ରଚାର ପ୍ରସାର ପାଇଁ ସରକାର ଯୋଜନା କରୁଛନ୍ତି । ଏହା ଗାନ୍ଧୀଙ୍କ ପ୍ରତି ଅପମାନ । ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବୁ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ‘ଭିତିରି ଆୟ ପାଇଁ ଏହା ଏକ ସୁଚିନ୍ତିତ ଯୋଜନା ।’
ସେପଟେ ରାଜ୍ୟରେ ମଦ ଦୋକାନ ବନ୍ଦ କରିବାକୁ ଦାବି କରୁଥିବା ସଙ୍ଗଠନ ମଧ୍ୟ ସରକାରଙ୍କ ଏଭଳି ନିଷ୍ପତିକୁ ବିରୋଧ କରିବା ସହ ଆସନ୍ତାକାଲି(ଗୁରୁବାର) ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଓ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ