ଭୁବନେଶ୍ବର: ଓଡିଶା ରାଜନୀତିର ଚର୍ଚ୍ଚିତ ଚେହେରା ସୁର ରାଉତରାୟ । ନିଜର ବିବାଦୀୟ ମନ୍ତବ୍ୟ ଓ ଦମଦାର୍ ଅନ୍ଦାଜ ପାଇଁ ସେ ସବୁଠି ପରିଚିତ । ପିଲା ଠୁ ବୁଢା ଯାଏଁ ସମସ୍ତଙ୍କ ମୁହଁରେ ଶୁଭେ ସୁରଙ୍କ.. ଛି ଛି ଲଜ୍ୟା, ମାଡି ଚାଲ, ବିୟୁଟିଫୁଲ୍ ଆଦି ଡାଇଲଗ । ନିଜର ବେଲଗାମ୍ ତୁଣ୍ଡ ପାଇଁ ସବୁବେଳେ ମିଡିଆ ଫ୍ରଣ୍ଟଲାଇନରେ ରହୁଥିବା ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ଆଜି ଜନ୍ମଦିନ । ତାଙ୍କୁ ଛୁଇଁଛି 78 ବର୍ଷ । ସୁର ଭୁବନେଶ୍ୱର ମାଉସୀମା ଛକ ସ୍ଥିତ ବାସଭବନରେ ନିଜର ୭୮ ତମ ଜନ୍ମଦିନ ପାଳନ କରିଛନ୍ତି । ସେ ନିଜର ଶୁଭେଚ୍ଛୁ, ଆତ୍ମୀୟ ସ୍ବଜନ ଓ ଦଳୀୟ କର୍ମୀଙ୍କ ଗହଣରେ ମିଠା ଖୁଆଇ ଜନ୍ମଦିନର ଖୁସି ମନାଇଛନ୍ତି ।
ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ସୁର ନିଜ ବାସଭବନରେ ରକ୍ତଦାନ ଶିବିର ଆୟୋଜିତ କରିଛନ୍ତି । ଏଥିସହ କ୍ୟାପିଟଲ ହସ୍ପିଟାରେ ରୋଗୀଙ୍କୁ ଫଳ ବାଣ୍ଟିବା ସହ କୋଭିଡ ସମୟ ଥିବାରୁ ବଢେଇବାଙ୍କ ଛକରେ ଲୋକଙ୍କୁ ମାସ୍କ ବଣ୍ଟନ କରିଛନ୍ତି । ଦଳଗତ ନିର୍ବିଶେଷରେ ସମସ୍ତେ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ।
ସେହିପରି ନିଜ ଜନ୍ମଦିନରେ ରାଜ୍ୟବାସୀଙ୍କୁ ସ୍ୱଚ୍ଛତାର ମନ୍ତ୍ର ଦେଇଛନ୍ତି ସୁର । ରାଜ୍ୟ କେନ୍ଦ୍ର ସରକାର ଦୁର୍ନୀତିରେ ବୁଡିଛନ୍ତି ବୋଲି ଅଭିଯୋଗ କରିବା ସହ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ଦରଦାମ ବୃଦ୍ଧିକୁ ନେଇ ସୁର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ