ଭୁବନେଶ୍ବର: ଆସନ୍ତା ମାସ 4 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ଗସ୍ତ କରିବେ । ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସେହିପରି 8 ତାରିଖରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତରେ ଯିବା ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଗଜପତି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ୨ ତାରିଖରୁ ମନ୍ତ୍ରୀ, ବିଧାୟକ ଓ ବିଜୁ ଜନତା ଦଳର ନେତାମାନେ ସେଠାରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ସେଠାରେ ମନ୍ତ୍ରୀ ଓ ବିଧାୟକମାନେ ଆଉ 3ଦିନ ରହି ବିଭିନ୍ନ ବ୍ଲକ୍ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଅକ୍ଟୋବର ପହିଲାରେ ଗଜପତି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ବାତ୍ୟା ଓ ବର୍ଷା ପାଇଁ ତାହା ଘୁଞ୍ଚାଇ ଦିଆଯାଇ ପରବର୍ତ୍ତୀ ସମୟରେ ଆସନ୍ତା 4 ତାରିଖକୁ ଧାର୍ଯ୍ୟ କରାଯାଇଥିଲା ।
୪ ତାରିଖରେ ଗଜପତି ଗସ୍ତ ପରେ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବା ସହ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ । କୋଭିଡ ଦ୍ବିତୀୟ ଲହର ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସହ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ସହ କିଛି ନୂଆ ପ୍ରକଳ୍ପ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ କରୁଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ନିଜର ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତାହା ପରେ ସୁନ୍ଦରଗଡ଼ ଓ ବଲାଙ୍ଗୀର ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ