ଭୁବନେଶ୍ବର: ଆଜି ବରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁରରେ ଜିଲ୍ଲା ପାଇଁ ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ବିଜେପୁର ବ୍ଲକ ଗଣ୍ଡପାଲି ମିନି ଷ୍ଟାଡିୟମରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ।
ସ୍ମାର୍ଟକାର୍ଡ ବାଣ୍ଟିବା ସହିତ ଜିଲ୍ଲାର ପ୍ରାୟ ୨୯୫ କୋଟି ଟଙ୍କାରେ ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ବିଜେପୁରରେ ମୁଖ୍ୟମନ୍ତ୍ରୀ 71ଟି ରୂପାନ୍ତରିତ ସ୍କୁଲକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସ୍ମାର୍ଟ ସ୍କୁଲର ଉଦଘାଟନ ସହିତ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ, ନୃସିଂହନାଥ ମନ୍ଦିରର ଉନ୍ନତିକରଣ ଓ ବିଦ୍ୟୁତ ଗ୍ରାଡର ଶୁଭ ଉଦଘାଟନ କରିବେ ।
ଏହାଛଡା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ସହିତ ପାନୀୟ ଜଳ ପ୍ରକଳ୍ପ ପାଇଁ 295 କୋଟି 9 ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର ତଦାରଖ କରିଛନ୍ତି ଜିଲ୍ଲା ପ୍ରଶାସନ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବଙ୍କ ସହିତ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ବରିଷ୍ଠ ବିଜେଡି ନେତା ମାନେ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରୁଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବାବେଳେ 18 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ