ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କୋଳିଦାସପୁର ଗ୍ରାମରେ ବେଆଇନ ବାଲି ଚାଲାଣକୁ ନେଇ ଗାଡି ପୋଡି ଘଟଣାରେ କିଛି ବ୍ୟକ୍ତିବିଶେଷଙ୍କୁ ଥାନାରେ ଅଟକ ରଖିବା ଏବଂ ପରେ ପୋଲିସ ଜନତା ମୁହାଁମୁହିଁ ଘଟଣାର ଅନୁଧ୍ୟାନ ପାଇଁ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗଞ୍ଜାମ କୋଳିଦାସପୁର ଗ୍ରାମ ଗସ୍ତ କରିବା ସହ ଜିଲ୍ଲା ପ୍ରଶାସନକୁ ସାକ୍ଷାତ କରି ଘଟଣା ସଂପର୍କରେ ଅବଗତ କରାଇଛନ୍ତି ।
ବିଜେପି ରାଜ୍ୟ ଉପ-ସଭାପତି ଭୃଗୁବକ୍ସି ପାତ୍ରଙ୍କ ନେତୃତ୍ୱରେ ଆସିଥିବା ଏଗାର ଜଣିଆ ଦଳର ବରିଷ୍ଠ ନେତୃବୃନ୍ଦ କୋଳିଦାସପୁର ଗ୍ରାମରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ପରେ ଋଷିକୁଲ୍ୟ ନଦୀ ପଠା ପରିଦର୍ଶନ କରିଥିଲେ । ଏହା ପରେ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ଜିଲ୍ଲାରେ ବେଆଇନ ଭାବରେ ବାଲି ଚାଲାଣ କରୁଥିବା ମାଫିଆଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।
ଗଞ୍ଜାମରୁ ଚୋରା ଚାଲାଣ କରି ବାଲି ମାଲେସିଆ ଯାଉଥିବା ବେଳେ ଏହାକୁ ନେଇ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିବା ବିଜେପି ଅଭିଯୋଗ କରିଛି । ତୁରନ୍ତ ଏନେଇ ପୋଲିସ ଓ ପ୍ରଶାସନ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଦଳ ଚେତାବନୀ ଦେଇଛି ।
ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ କୃଷକ ମୋର୍ଚ୍ଚାର ସମ୍ପାଦକ ସୁରତ ବିଶ୍ୱାଳ, ରାଜ୍ୟ ବିଜେପି ସମ୍ପାଦକ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ , ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରଞ୍ଜନ ପଳାଇଙ୍କ ସମେତ ଜିଲ୍ଲାର ବରିଷ୍ଠ ବିଜେପି ନେତା ମାନେ ସାମିଲ ଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ