ବ୍ରହ୍ମପୁର: ଅନେକ ସମୟରେ ଜନ୍ମ ପରେ ଶିଶୁଙ୍କୁ ଅଲୋଡ଼ା କରି ରାସ୍ତା କଡ଼ରେ କିମ୍ବା ବୁଦା ମୂଳେ ଛାଡି ଦିଆଯାଉଥିବାର ଅନେକ ଘଟଣା ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲା ହୁମା ଅଞ୍ଚଳର ଜାତୀୟ ରାଜପଥ କଡରେ ଶିଶୁପୁତ୍ରକୁ ଛାଡି କେହି ଚାଲି ଯାଇଥିବା ଦେଖାଯାଇଛି ।
ହୁମା ଶୁଖୁଆ ହାଟ ନିକଟସ୍ଥ ଏକ ଗୋଦାମ ଗୃହ ପାର୍ଶ୍ବରେ ଶିଶୁପୁତ୍ର କାନ୍ଦୁଥିବା ସ୍ଥାନୀୟ ଗ୍ରାମବାସୀ ଶୁଣିବାକୁ ପାଇଥିଲେ । ଏହାପରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଶିଶୁପୁତ୍ରକୁ ଉଦ୍ଧାର କରାଯାଇ ହୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ପରେ ଉଦ୍ଧାର ଶିଶୁପୁତ୍ରକୁ ଛତ୍ରପୁର ମେଡ଼ିକାଲକୁ ପଠାଯାଇଥିଲା । ବର୍ତ୍ତମାନ ଶିଶୁ ପୁତ୍ରର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ବେଳେ କିଏ କେଉଁ ପରିସ୍ଥିତିରେ ଏହାକୁ ଫୋପାଡ଼ି ଦେଇଥିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଲକଡାଉନ୍ ଯୋଗୁଁ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକମାନେ ଶିଶୁ ପୁତ୍ରକୁ ଛାଡି ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ