ବ୍ରହ୍ମପୁର: ବୁଧବାର ରହିଥିଲା ଗଞ୍ଜାମ ଜିଲ୍ଲାର ଛତ୍ରପୁର ଅଞ୍ଚଳ ପାଇଁ ଏକ ଦୁର୍ଘଟଣା ଦିନ। ମାତ୍ର କିଛି ଘଣ୍ଟାର ବ୍ୟବଧାନ ମଧ୍ୟରେ ଜାତୀୟ ରାଜପଥରେ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଘଟିଯାଇଥିଲା ଗୋଟିଏ ପରେ ଗୋଟିଏ ତିନୋଟି ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି ।
ବୁଧବାର ଭୋର ସକାଳ ୪ଟା ସମୟରେ ଘନକୁହୁଡ଼ି ରହିଥିଲେ। ଏହି ସମୟରେ ରାସ୍ତାକୁ ଦେଖିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଥିଲା। ଫଳରେ ଜାତୀୟ ରାଜପଥ କଡ଼ରେ ରହିଥିବା ଡ଼ିଭାଇଡରକୁ ପିଟି ହୋଇ ଓଲଟି ପଡିଥିଲା ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର । ଏହି ଦୁର୍ଘଟଣାରେ କୌଣସି ମତେ ଟ୍ୟାଙ୍କର ଚାଳକ ବର୍ତ୍ତିଯାଇଥିଲେ।
ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳକୁ ଯାଉଥିବା ପୋଲିସ ଭ୍ୟାନ ଓଲଟି ପଡ଼ିଥିଲା। ଫଳରେ ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସେପଟେ ଓଲଟି ପଡ଼ିଥିବା ଗ୍ୟାସ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଥିବା ଖବର ମଳିଥିଲା। ଏହାକୁ ରୋକିବା ପାଇଁ ଟ୍ୟାଙ୍କର ଉପରେ ଅଗ୍ନିଶମ ବାହିନୀ ପାଣି ସିଞ୍ଚନ କରିବା କାର୍ଯ୍ୟ ଜାରି ରଖିଥିବା ବେଳେ ବିଦ୍ୟୁତ ବିଭାଗ ସଂପୂର୍ଣ୍ଣ ଅଞ୍ଚଳରୁ ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରିଥିଲେ। ଏହାପରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ସଂପୂର୍ଣ୍ଣ ଭାବରେ ବ୍ୟାରିକେଟ ଲଗାଯାଇଥିଲା। କେବଳ ଆମ୍ବୁଲାନ୍ସକୁ ଛାଡିଦେଲେ କାହାରିକୁ ସେହି ସ୍ଥାନ ଦେଇ ଛଡ଼ା ଯାଇନଥିଲା।
ଦୁର୍ଘଟଣାସ୍ଥଳରେ ତୈଳ କମ୍ପାନୀର ବୈଷୟିକ ଟିମ୍ ପହଞ୍ଚିବା ପରେ ଗ୍ୟାସ ଟ୍ୟାଙ୍କରର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କେଉଁ ସ୍ଥାନରୁ ଗ୍ୟାସ ଲିକ୍ ରହିଛି ତାହାକୁ ଅନୁଧ୍ୟାନ କରଯାଇଥିଲା। ପରେ ଦୁଇଟି କ୍ରେନ ସାହାଯ୍ୟରେ ରାସ୍ତା ଉପରେ ପଡ଼ି ରହିଥିବା ଟ୍ୟାଙ୍କରକୁ ଉଠାଯାଇଥିଲା । ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ ପରେ ଗ୍ୟାସ ବୋଝେଇ ଟ୍ୟାଙ୍କର ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିଲା ।
ଅନ୍ୟପଟେ ସେହି ସ୍ଥାନରେ ପୁଣି ଦେଖିବାକୁ ମିଳିଥିଲା ଅନ୍ୟ ଏକ ଦୁର୍ଘଟଣା। ଏକ ମାଲବୋଝେଇ ଟ୍ରକ ପାର୍କିଂ କରୁଥିବା ସମୟରେ ହଠାତ୍ ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ଟ୍ରକ ମଧ୍ୟରେ ଚାପି ହୋଇ ଘଟଣା ସ୍ଥଳରେ ହିଁ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକବର୍ତ୍ତୀ ଜାତୀୟ ରାଜପଥର ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ଦିନକରେ ତିନୋଟି ଦୁର୍ଘଟଣା ଘଟିଥିଲା। ଫଳରେ ଦିନ ତମାମ ଏହାକୁ ନେଇ ପୋଲିସ, ପ୍ରଶାସନ, ଜାତୀୟ ରାଜପଥ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ