ନୂଆଦିଲ୍ଲୀ: ଆସନ୍ତା 20ରେ ବସିବ ନୂଆ ସରକାରଙ୍କ ଅଧିନରେ ପ୍ରଥମ ଜିଏସଟି ବୈଠକ । ଏହି ବୈଠକରେ 28 ପ୍ରତିଶତ ସ୍ଲାବ ଥିବା ବହୁ ପ୍ରଡକ୍ଟ ଉପରେ ଟ୍ୟକ୍ସ ଆଶ୍ବସ୍ତି ମିଳିପାରେ । ଏହା ବ୍ୟତୀତ ଇ-ଇନଭଏସ ସମେତ ଏପରି ବହୁ ମାମଲାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବା ଆଶା ରହିଛି ।
ଗୋଟିଏ ସଂସ୍ଥାରୁ ଅନ୍ୟ ଏକ ସଂସ୍ଥାକୁ (ବି2ବି) ବିକ୍ରି କ୍ଷେତ୍ରରେ ଇ-ଇନଭଏସ ଜାରି ପାଇଁ କମ୍ପାନୀଗୁଡିକ ପାଇଁ କାରବାର ସୀମା 50 କୋଟି କରାଯାଇପାରେ । ସେପ୍ଟେମ୍ବର ମାସରୁ ଅର୍ଥମନ୍ତ୍ରାଣଳୟ ଏହି ବ୍ୟବସ୍ଥାକୁ ଲାଗୁ କରିବାକୁ ଯୋଜନା ରଖିଛି । ଏହା ଫଳରେ 50 କୋଟି କାରବାର କରୁଥିବା କମ୍ପାନୀ କେନ୍ଦ୍ରୀକୃତ ସରକାରୀ ପୋର୍ଟାଲରେ ଇ-ଇନଭଏସ ଭାବେ ଗଣନୀୟ ହେବେ । ଟିକସ ଚୋରିକୁ ରୋକିବାକୁ ସରକାର ଏପରି ପଦକ୍ଷେପ ନେଇପାରନ୍ତି ବୋଲି ଆଶା କରାଯାଉଛି ।
ସୂଚନା ମୁତାବକ, 2017-18ରେ 68,041 କମ୍ପାନୀ 50 କୋଟି ଟଙ୍କାରୁ ଉର୍ଦ୍ଧ୍ବ କାରବାର କରୁଥିବା ଜଣାପଡିଛି । ଆଉ ଜିଏସଟିରେ ଏମାନଙ୍କ 66.6 ଯୋଗଦାନ ରହିଛି । ସେହିପରି ଜିଏସଟି ଭରୁଥିବା ମୋଟ କମ୍ପାନୀଙ୍କ ମଧ୍ୟରୁ ଏଭଳି କମ୍ପାନୀ ମାତ୍ର 1.02 ପ୍ରତିଶତ ରହିଛି । ହେଲେ ବି2ବି ଇନଭଏସ ବାହାର କରୁଥିବା କ୍ଷେତ୍ରରେ ଏମାନଙ୍କ 30 ପ୍ରତିଶତ ଭାଗୀଦାରୀ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି ।