ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ରୋକିବା ପାଇଁ ଦେଶକୁ 21 ଦିନ ବନ୍ଦ ରଖାଯାଇଛି । ଯାନବାହାନ, ଟ୍ରେନ ସବୁ ଠପ । ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ସମସ୍ତେ ଘରେ । ଏପରିକି ବ୍ୟାଙ୍କ ମଧ୍ୟ ଦିନେ ଛଡା ଦିନେ ଖୋଲୁଛି ତ ପୁଣି କେତେ ସ୍ଥାନରେ ଆଦୌ ସେବା ପ୍ରଦାନ କରୁନି । ଏପରି ଘଡିସନ୍ଧି ସମୟରେ ଆୟ ବି ଶୂନ୍ୟ । ଆଉ ଯାହା ଅଛି ସେଥିରୁ 30 ପ୍ରତିଶତ ଘର, କାର, ବ୍ୟକ୍ତିଗତ ଆଦି ଋଣର ଇଏମଆଇ ପରିଶୋଧରେ ଯିବ । ତାହା ବି କିପରି ଭରାଯିବ ତେବେ ଏ ନେଇ ଆଉ ଚିନ୍ତା କରନ୍ତୁ ନାହିଁ ।
ଶୁକ୍ରବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ପ୍ରେସ ମିଟ ଜରିଆରେ ଅର୍ଥନୀତିକୁ ଉପଶମ ଦେବା ପାଇଁ ବଡ ଘୋଷଣା କରିଛନ୍ତି । ରେପୋରେଟ ଦର ହ୍ରାସ କରି ସୁଧ ଦର ଶସ୍ତା କରିବା ସହ ବ୍ୟାଙ୍କ ପାଖରେ ଅଧିକ ଟଙ୍କା ଉପଲବ୍ଧ ପାଇଁ ସବୁ ବାଟ ଖୋଲିଦେଇଛନ୍ତି । ଏଥିସହ ଇଏମଆଇ ଉପରେ 3 ମାସ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି । ଅର୍ଥାତ ଲୋନ ନେଇଥିବା ଋଣଦାତା ଚାହିଁଲେ 3 ମାସ ପର୍ଯ୍ୟନ୍ତ ଇଏମଆଇ ଭରିବେ ନାହିଁ ।
ଏହି ସୁବିଧା ସମସ୍ତ ସରକାରୀ ଏବଂ ଘରୋଇ ବ୍ୟାଙ୍କ ସହ ଆଞ୍ଚଳିକ ବ୍ୟାଙ୍କ ଏବଂ ସହକାରୀ କିମ୍ବା କୌଣସି ହାଉସିଙ୍ଗ ଫାଇନାନ୍ସ କମ୍ପାନୀରୁ ଟର୍ମ ଲୋନ ନେଇଥିବା ଗ୍ରାହକଙ୍କୁ ମିଳିବ ।
ତେବେ ମନେରଖୁନ୍ତି ଇଏମଆଇ ପରିଶୋଧକୁ 3 ମାସ ଘୁଞ୍ଚାଯାଇଛି । ପୂରା ଛାଡ କରାଯାଇନାହିଁ । ବର୍ତ୍ତମାନ ସମୟରେ ଲୋକଙ୍କ ପାଖରେ ଯେପରି ଟଙ୍କାର ଅଭାବ ନ ହେବେ ଓ ବାହାର ପରିସ୍ଥିତିକୁ ନଜରରେ ରଖି ଆରବିଆଇ ଏଭଳି ପଦକ୍ଷେପ ନେଇଛି ।
ହେଲେ କ୍ରେଡିଟ କାର୍ଡର ବିଲ ଭରିବା କିସ୍ତି ଭରିବାକୁ ହେବ । କାରଣ ଏହା ଟର୍ମ ଲୋନ ନୁହେଁ । ତେବେ ଯଦି ଆପଣ କ୍ରେଡିଟ କାର୍ଡରୁ କିଛି ବଡ ପରିମାଣର କ୍ରୟ କରିଛନ୍ତି , ଆଉ ତାକୁ ଇଏମଆଇ(ବ୍ୟାଙ୍କରୁ ଲୋନ ଆକାରରେ) ରେ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ତା ଉପରେ ଆରବିଆଇର ଏହି ନିୟମ ଲାଗୁ କରାଯାଇପାରିବ । କିନ୍ତୁ ଏଥିପାଇଁ ସମ୍ବନ୍ଧିକ ଅଥରିଟିଙ୍କୁ ଏକ କ୍ଲାରିଫିକେସନ ଜାରି କରିବାକୁ ପଡିବ ।