ନୂଆଦିଲ୍ଲୀ: ଲକଡାଉନ ସମୟରେ ଠପ ପଡିଥିବା ଫ୍ୟାକ୍ଟ୍ରିରେ ପାଖାପାଖୀ 70 ପ୍ରତିଶତ କାମ ଟ୍ରାକକୁ ଫେରିଛି । ସେପଟେ ଅନଲକ -4ରେ ମିଳିଥିବା ଅନୁମତି ଯୋଗୁଁ ବ୍ୟବସାୟୀଙ୍କୁ ଏବେ ଆର୍ଥିକ ଗତିବିଧିରେ ସୁଧାର ଆଶା ରହିଛି । କୋରୋନା କାଳରେ ଗାଁକୁ ପଳେଇଥିବା ଅଧିକାଂଶ ଶ୍ରମିକ ଓ କାରିଗର ମଧ୍ଯ ଏବେ ପେଟପାଟଣା ପାଇଁ କାମକୁ ଫେରୁଛନ୍ତି ।
ତେବେ ଯୋଗାଣ ଶୃଙ୍ଖଳାର ଅଭାବ ହେତୁ କାରଖାନାଗୁଡ଼ିକରେ କଞ୍ଚାମାଲ ସଠିକ୍ ଭାବରେ ଯୋଗାଇ ଦିଆଯାଉ ନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି ।
ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଶିଳ୍ପାଞ୍ଚଳ ଗୁଡିକରେ, ଯେଉଁଠାରେ ଦେଶବ୍ୟାପୀ ବନ୍ଦ ସମୟରେ ନୀରବତା ରହିଥିଲା, ବର୍ତ୍ତମାନ ସେଠାରେ ସ୍ଥିତି ପୂର୍ବ ଭଳି ସ୍ବାଭାବିକ ହୋଇଛି , କିନ୍ତୁ ଏପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରର କାରଖାନାଗୁଡ଼ିକର ଉନ୍ନତି ହୋଇନାହିଁ। ବ୍ୟବସାୟିକ ସଂଗଠନ ଅନୁଯାୟୀ, ମୁଖ୍ୟତ ଦୁର୍ବଳ ଚାହିଦା ହେତୁ ଟେକ୍ସଟାଇଲ୍, ପ୍ରିଣ୍ଟିଙ୍ଗ, ବିଜ୍ଞାପନ ସମେତ ଅନେକ କ୍ଷେତ୍ରରେ ଧୀମା ଗତିବିଧି ରହିଛି ।
ଓଖଲା ଚାମ୍ବର ଅଫ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ଅରୁଣ ପୋପଲି କହିଛନ୍ତି ଯେ ପ୍ୟାକେଜିଂ, ଇଞ୍ଜିନିୟରିଂ ଏବଂ ଖାଦ୍ୟ ସାମଗ୍ରୀ ସହ ଜଡିତ କାରଖାନାଗୁଡ଼ିକରେ ବହୁତ ଉନ୍ନତି ଘଟିଛି । କିନ୍ତୁ ପ୍ରିଣ୍ଟିଂ ପ୍ରେସ ଏବଂ ବିଜ୍ଞାପନ ଭଳି କାର୍ଯ୍ୟରେ ମନ୍ଥର ଗତି ଜାରି ରହିଛି । ଫ୍ୟାକ୍ଟ୍ରିର କାମ 70 ପ୍ରତିଶତ ଟ୍ରାକକୁ ଫେରିଛି ବୋଲି ସେ କହିଛନ୍ତି ।
ସେହିପରି ଅର୍ଡର ମଧ୍ୟ 60 ପ୍ରତିଶତ ପାଖାପାଖୀ ଆସିଛି । ଗାଁକୁ ଯାଇ ଶ୍ରମିକ ଫେରିବା ସମ୍ଭନ୍ଧରେ ସେ କହିଛନ୍ତି କି, ଯେଉଁମାନେ ଆସିବାକୁ ଥିବା ଶ୍ରମିକ ଓ କାରିଗର ଥିଲେ ସେମାନେ ଫେରିଆସିଛନ୍ତି । କେବଳ ଗାଁରେ କାମ ପାଇଥିବା ଶ୍ରମିକ ଓ କାରିଗର ଫେରିନାହାଁନ୍ତି ।
ତଥାପି, ଇଞ୍ଜିନିୟରିଂ କ୍ଷେତ୍ର ସହିତ ଜଡିତ କାରଖାନାଗୁଡ଼ିକର କାର୍ଯ୍ୟରେ ବହୁତ ଉନ୍ନତି ହୋଇଛି । ଗ୍ରେଟର ନୋଏଡା ବ୍ୟବସାୟୀ ତଥା କ୍ଷୁଦ୍ର ଉଦ୍ୟୋଗ ଭାରତୀ ସହ ଜଡିତ ଅଶ୍ୱିନୀ ମହେନ୍ଦ୍ର କହିଛନ୍ତି ଯେ ନୂଆ ଅର୍ଡର ଗ୍ରହଣ କରାଯାଉଛି, କିନ୍ତୁ ଯୋଗାଣ ଶୃଙ୍ଖଳା ଅଭାବରୁ କଞ୍ଚାମାଲର ଯୋଗାଣ ସଠିକ ଭାବେ ହୋଇପାରୁନାହିଁ ।