ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ କାରଣରୁ ଭାଙ୍ଗିଯାଇଛି ଅର୍ଥନୀତି ଅଣ୍ଟା । ବିଶେଷ କରି କ୍ଷୂଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରକୁ ପହଞ୍ଚିଛି ସବୁଠୁ ଅଧିକ କ୍ଷତି । ଏଭଳିସ୍ଥିତିରେ ଏମଏସଏମଇ କ୍ଷେତ୍ରକୁ ପହଞ୍ଚିଥିବା କ୍ଷତିର ଭରଣା ପାଇଁ ଭାରତ ସରକାରଙ୍କୁ ସହଯୋଗର ହାତ ବଢାଇଛି ବିଶ୍ବ ବ୍ୟାଙ୍କ ।
ଭାରତ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ସମର୍ଥନ ପାଇଁ 50 କୋଟି ଡଲାରର ସହଯୋଗ ଘୋଷଣା କରିଛି ବିଶ୍ବ ବ୍ୟାଙ୍କ । ଏହି କାର୍ଯ୍ୟକ୍ରମ ଆଧାରରେ 5,55,000 ଏମଏସଏମଇରେ ସୁଧାରର ଅନୁମାନ କରାଯାଉଛି । ଏହାସହିତ ସରକାର 3.4 ଆରବ ଡଲାର ଏମଏସଏମଇ ପ୍ରତିସ୍ପର୍ଦ୍ଧାତ୍ମକତା-ପୋଷ୍ଟ କୋଭିଡ ରେଜିଲାନ୍ସ ରିକୋଭରୀ ପ୍ରୋଗ୍ରାମ (MCRRP) ଅଂଶ ରୂପେ 15.5 ଆରବ ଡଲାର ପାଣ୍ଠି ଯୋଗାଡ କରିବା ନେଇ ମଧ୍ୟ ଅନୁମାନ ରହିଛି ।
ଏମଏସଏମଇ କ୍ଷେତ୍ର ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ । ଏହି କ୍ଷେତ୍ରରେ ସଫଳ ଘରୋଇ ଉତ୍ପାଦ (ଜିଡିପି)ରେ 30 ପ୍ରତିଶତ ଯୋଗଦାନ ରହିଛି । ଏପଟେ ରିଜର୍ଭ ବ୍ୟାଙ୍କ ମଧ୍ୟ ଏହି କ୍ଷେତ୍ରରେ ଯଥାସମ୍ଭବ ପ୍ରୟାସ କରୁଛି ।
ମୁଦ୍ରାନୀତି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଘୋଷଣା କରିବା ସମୟରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ, ଏମଏସଏମଇରେ ସହଯୋଗ ଦେବା ପାଇଁ ରିଜର୍ଭ ବ୍ୟାଙ୍କ 16 ହଜାର କୋଟି ଟଙ୍କାର ଏକ ସ୍ବତନ୍ତ୍ର ଓ ଅତିରିକ୍ତ ନଗଦ ସୁବିଧା ଦେବ । ଏହା ପୂର୍ବରୁ ମଧ୍ୟ ଏଭଳି ସୁବିଧା ଦିଆଯାଇଥିଲା ।