କୋଲକାତା: ଦୀର୍ଘ ଦଶନ୍ଧି ଧରି ଅପେକ୍ଷା କରିବା ପରେ ବଙ୍ଗରେ 'ଅସୋଲ ପରିବୋର୍ତ୍ତନ'ର ସମୟ ଆରମ୍ଭ ହୋଇଛି । ଏହି ପରିବର୍ତ୍ତନ ଏକ ବଡ ଶିକ୍ଷା ଦେବାକୁ ଯାଉଛି । ପଶ୍ଚିମବଙ୍ଗର କ୍ରିଷ୍ଣା ନଗରରେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏପରି ଢଙ୍ଗରେ ମମତା ବାନାର୍ଜୀ ଓ ଟିଏମସି ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେ ଆହୁରି ମଧ୍ୟ କହିଛନ୍ତି ବଙ୍ଗର ଏହି ନିର୍ବାଚନ କେବଳ ବିଜେପି ଲଢୁନାହିଁ ବରଂ ବଙ୍ଗର ସାଧାରଣ ଜନତା ଲଢୁଛନ୍ତି । ଦିଦି ବଙ୍ଗବାସୀଙ୍କ ଭରସା ଭାଙ୍ଗିଛନ୍ତି । ଦିଦିଙ୍କ ଶାସନ କାଳରେ ବଙ୍ଗକୁ କଣ ମିଳିଛି ତାହା ବଙ୍ଗବାସୀ ବୁଝିସାରିଛନ୍ତି । ଦିଦି ନିର୍ବାଚନ କମିଶନ, କେନ୍ଦ୍ରୀୟ ସୁରକ୍ଷା ବଳ ଓ ଏଭିଏମକୁ ଦାୟୀ କରୁଥିବାବେଳେ ଏବେ ନିଜ ଦଳର କର୍ମକର୍ତ୍ତା ଓ ଏଜେଣ୍ଟମାନଙ୍କୁ ମଧ୍ୟ ଆରୋପ ଲଗାଇବାକୁ ଆରମ୍ଭ କଲେଣି । ଦିଦି ବର୍ତ୍ତମାନ ହତାଶ ହୋଇପଡିଛନ୍ତି, ତେଣୁ ବଙ୍ଗର ଭୋଟରଙ୍କୁ ବଦନାମ କରୁଛନ୍ତି । ବଙ୍ଗର ଲୋକେ ଦିଦିଙ୍କ ଠାରୁ ଆଉ ସମ୍ବେଦନଶୀଳତା ଆଶା କରୁନଥିବା କହି ମମତାଙ୍କୁ କଟାକ୍ଷ କରିଛନ୍ତି ମୋଦି ।ତେଣୁ ଏହି ନିର୍ବାଚନରେ ତାହା ସ୍ପଷ୍ଟ ଦୃଶ୍ୟମାନ ହେଉଛି ବୋଲି ମୋଦି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ