ଚେନ୍ନାଇ: ଛେଳି ଚୋରି ଗ୍ୟାଙ୍ଗକୁ ଧରିବାକୁ ଯାଇ ସବ-ଇନସ୍ପେକ୍ଟର ମୃତ । ଚୋର ଗ୍ୟାଙ୍ଗକୁ ଗୋଡାଇ ଗୋଡାଇ ଧରିବା ସମୟରେ ସବ-ଇନସ୍ପେକ୍ଟରଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏପରି ଏକ ଘଟଣା ଘଟିଛି ତାମିଲନାଡୁର ନୱାଲପାଟ୍ଟୁ ଅଞ୍ଚଳରେ ।
ସୂଚନା ଅନୁଯାୟୀ ଭୂମିନାଥନ(56) ନୱାଲପାଟ୍ଟୁ ପୋଲିସ ଷ୍ଟେସନରେ ସବଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଥିଲେ । ସେ ଗତକାଲି(ଶନିବାର) ରାତିରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ବାଇକରେ ଛେଳି ଚୋରି କରି ନେଇଯାଉଥିବା ଏକ ୩ ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା କରିଥିଲେ ।
ଭୂମିନାଥନଙ୍କୁ ଦେଖି ଗ୍ୟାଙ୍ଗ ତ୍ରିଚି-ପୁଡୁକ୍କୋଟାଇ ମୁଖ୍ୟ ରାସ୍ତାରେ ଥିବା କଲାମଭୋର ରେଳ ଫାଟକ ନିକଟରେ ଥିବା ପାଲାଥୁପାଟ୍ଟି ଗ୍ରାମକୁ ଦୌଡିବାକୁ ଆରମ୍ଭ କରିଥିଲେ । ସେହି ସମୟରେ ଭୂମିନାଥନ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଧରିଦେଇଥିଲେ । ପଳାଇଥିବା ଅନ୍ୟମାନେ ତାଙ୍କ ପାଖକୁ ଆସି ସେହି ୨ ଜଣଙ୍କୁ ଛାଡି ଦେବାକୁ କହିଥିଲେ ।
କିନ୍ତୁ ଭୂମିନାଥନ ସେମାନଙ୍କୁ ଛାଡିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ । ସେମାନେ ଉତ୍ତେଜିତ ହୋଇ ଏକ ଧାରୁଆ ଛୁରୀରେ ତାଙ୍କ ଗଳା କାଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଭୂମିନାଥନଙ୍କ ମୃତ୍ୟୁ ଘଟିଛି ।
ବିଳମ୍ବିତ ରାତି 2 ଟା ସମୟରେ ଏହି ଘଟଣା ଘଟିଛି । ସକାଳ ପ୍ରାୟ 5 ଟା ରେ ଯାତ୍ରୀମାନେ ଭୂମିନାଥନଙ୍କ ମୃତଦେହ ପାଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ