ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ଅନାକାପାଲ୍ଲୀ ଜିଲ୍ଲାରେ ଥିବା ଏକ ଫାର୍ମା କମ୍ପାନୀରେ ବିସ୍ଫୋରଣ ଘଟି 2 ଜଣଙ୍କ ମୃତ୍ୟୁ ହୋଇଛି । ଆଜି (ମଙ୍ଗଳବାର) ଜିଲ୍ଲାର ଅଚ୍ୟୁତପୁରମ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ (SEZ) ରେ ଥିବା ଜିଏଫ୍ଏମ୍ଏସ୍ ନାମକ ଏକ ଫାର୍ମା କମ୍ପାନୀରେ ଏହି ବଡ଼ ଧରଣର ବିସ୍ଫୋରଣ ଘଟିଛି । ପ୍ଲାଣ୍ଟର ରିଆକ୍ଟରରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବା ସହ ବିସ୍ଫୋରଣ ହୋଇଥିଲା । ଏବେ ସୁଦ୍ଧା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସମସ୍ତ ମୃତାହତ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ବୋଲି ଜଣାପଡିଛି ।
ସୂଚନା ପାଇ ସ୍ଥାନୀୟ ପୋଲିସ ଓ ଫାଏର ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ନିଆଁକୁ ଆୟତ କରିବା ସହ ପ୍ଲାଣ୍ଟ ପରିସରରେ ଥିବା କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ତେବେ କିଛି ଘଣ୍ଚାର ପରିଶ୍ରମ ପରେ ସମସ୍ତଙ୍କୁ ସୁରକ୍ଷିତ ବାହାର କରିବାରେ ରେସକ୍ୟୁ ଟିମ୍ ସଫଳତା ପାଇଥିଲା । ଏବେ ସୁଦ୍ଧା 2ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କୌଣସି ତାଜା ସୂଚନା ମିଳିନାହିଁ । କିଛି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରିବାରେ ସଫଳତା ମିଳିଛି ।
ଅନ୍ୟପଟେ ବିସ୍ଫୋରଣର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନାହିଁ । ପ୍ରାଥମିକ ଭାବେ ପ୍ଲାଣ୍ଟର ରିଆକ୍ଟରରେ କୌଣସି ରାସାୟନିକ ପଦାର୍ଥ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ପରବର୍ତ୍ତୀ ସମୟରେ ଏହା ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି । କମ୍ପାନୀର ବୈଷୟିକ ଅଧିକାରୀଙ୍କ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ଓ ବିସ୍ଫୋରଣ ହେଲା ତାହା ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଜଣାପଡିବା ନେଇ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ।
ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳର ସମଗ୍ର ପରିବେଶ ଧୂଆଁମୟ ହୋଇଯାଇଥିଲା । ବହୁ ଦୂର ପର୍ଯ୍ୟନ୍ତ ପ୍ଲାଣ୍ଟରେ ଲାଗିଥିବା ନିଆଁ ଓ ଉଠୁଥିବା କଳା ଧୂଆଁ ଦୃଶ୍ୟମାନ ହୋଇଥିଲା । ପ୍ଲାଣ୍ଟ ଆଖପାଖ ଗାଁର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଜିଲ୍ଲା ପ୍ରଶାସନର ଅଧିକାରୀ ପ୍ଲାଣ୍ଟ ନିକଟବର୍ତ୍ତୀ ଏକାଧିକ ଗ୍ରାମରେ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ସ୍ଥାନୀୟ ପ୍ରଶାସନ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ