ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ କାରିଗରମାନଙ୍କର 26ତମ 'ହୁନର ହାଟ' କାର୍ଯ୍ୟକ୍ରମକୁ ଫେବୃଆରୀ 21ତାରିଖରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ରାଜଧାନୀର ଜବହାରଲାଲ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ହେବ ।
26ତମ 'ହୁନର ହାଟ' କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି' ଭୋକାଲ୍ ଫର୍ ଲୋକାଲ୍' । ଏହା ଫେବୃଆରୀ 21ରୁ ଆରମ୍ଭ ହୋଇ ମାର୍ଚ୍ଚ 1 ପର୍ଯ୍ୟନ୍ତ ଜାରି ରହିବ । ଏଥିରେ 600ରୁ ଅଧିକ କାରିଗର ସାମିଲ ହେବେ । ଯେଉଁଥିରେ 31ରୁ ଅଧିକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ବହୁ ସଂଖ୍ୟାରେ ମହିଳା କାରିଗର ଅଂଶଗ୍ରହଣ କରିବେ ।
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ପାଞ୍ଚ ବର୍ଷ ଭିତରେ 'ହୁନର ହାଟ' ପ୍ରାୟ ପାଞ୍ଚ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଲୋକମାନ ହୁନର ହାଥ ୱେବସାଇଟରୁ ଜିନିଷ କିଣୁଛନ୍ତି । ମୂଳତଃ ଏହି ସ୍ବଦେଶୀ ଉତ୍ପାଦଗୁଡିକ ମାଟି,ଧାତୁ କାଠରୁ ନିର୍ମିତ ହୋଇଥାଏ । କାରିଗରଙ୍କ ଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ 'ହୁନର ହାଟ' ଏକ ଉପଯୁକ୍ତ ପ୍ଲାଟଫର୍ମ, ଏପର୍ଯ୍ୟନ୍ତ ପାଞ୍ଚ ଲକ୍ଷରୁ ଅଧିକ କାରିଗରଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେଇଛି ବୋଲି କହିଛନ୍ତି ନାକଭି ।
ମନ୍ତ୍ରୀଙ୍କ କହିବାନୁସାରେ, ସ୍ବାଧୀନତାର 75 ବର୍ଷ ପୂରଣ ହେବାପରେ ଆୟୋଜିତ ହେବାକୁ ଥିବା “ହୁନର ହାଟ” ମାଧ୍ୟମରେ 7,50,000 କାରିଗରଙ୍କୁ ରୋଜଗାରର ସୁଯୋଗ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ଅନଲାଇନ୍ ପ୍ଲାଟଫର୍ମରେ ତଥା ସରକାରୀ ଇ-ମାର୍କେଟପ୍ଲେସ୍ (ଜିଏମ୍) ପୋର୍ଟାଲରେ ଆୟୋଜିତ ହେବାକୁ ଥିବା 'ହୁନର ହାଟ' ପାଇଁ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ବିଦେଶୀ ପର୍ଯ୍ୟଟକଙ୍କ ସମେତ ଲୋକମାନେ ଅନଲାଇନରେ ଉତ୍ପାଦ କିଣି ପାରିବେ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ